୨୬ରେ ସୂର୍ଯ୍ୟୋପରାଗ ଖାଲିଆଖିରେ ନ ଦେଖିବାକୁ ପରାମର୍ଶ:ପଠାଣି ସାମନ୍ତ ପ୍ଲାନେଟାରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ଆସନ୍ତା ୨୬ତାରିଖ ସକାଳେ ଏକ ବିରଳ ସୂର୍ଯ୍ୟୋପରାଗ ସଂଘଠିତ ହେବ। ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ ଦେଖାଯିବ। ଓଡ଼ିଶାରେ ଏହା ସକାଳ ୮ଟା ୨୦ମିନିଟ୍‌ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ମିନିଟ୍‌ରେ ଶେଷ ହେବାକୁ ଥିବାବେଳେ ସକାଳ ୯ଟା ୪୬ ମିନିଟ୍‌ରେ ସର୍ବାଧିକ ପରାଗ ଦେଖାଯିବ। ଉକ୍ତ ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ପ୍ରାୟ ୫୫-୬୫% ଘୋଡ଼ାଇଦେବ ଏବଂ ସୂର୍ଯ୍ୟର ଆଲୋକ ମଳିନ ପଡ଼ିବା ସହ ଏହା ଅଧାଖଣ୍ଡିଆ ଦେଖାଯିବ। ଏହାକୁ ଖାଲିଆଖିରେ ନ ଦେଖିବାକୁ ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ନିରାପଦରେ ସୂର୍ଯ୍ୟୋପରାଗ ଦେଖିବାକୁ ପ୍ଲାନେଟାରିୟମରେ ବ୍ୟବସ୍ଥା ହୋଇଛି। ଏହାସହ ସାମନ୍ତ ଚନ୍ଦ୍ରଶେଖର ଆଗ୍ରହୀ ଜ୍ୟୋତିର୍ବିଜ୍ଞାନୀ ପରିଷଦ ସହାୟତାରେ ପଦାର୍ଥ ବିଜ୍ଞାନ ଅନୁଷ୍ଠାନଠାରେ ମଧ୍ୟ ଦୂରବୀକ୍ଷଣ ମାଧ୍ୟମରେ ପରାଗ ଦେଖିବାର ବ୍ୟବସ୍ଥା କରାଯାଇଛି। ସେହିପରି ବିଜ୍ଞାନ ଚେତନା ମଞ୍ଚ ପକ୍ଷରୁ ବିଜେବି କଲେଜ ପଡ଼ିଆଠାରେ ସୂର୍ଯ୍ୟୋପରାଗ ନିରାପଦରେ ଦେଖିବାର ବ୍ୟବସ୍ଥା କରାଯିବ। ଏହି ସୁଯୋଗକୁ ହାତଛଡ଼ା ନ କରିବାକୁ ଛାତ୍ରୀଛାତ୍ରଙ୍କୁ ପ୍ଲାନେଟାରିୟମ ପକ୍ଷରୁ ଅନୁରୋଧ କରାଯାଇଛି।

Share