Categories: କନ୍ଧମାଳ

୨୬ କି.ମି. ଚାଲିଲେ ୫୪ ଛାତ୍ର

ତୁମୁଡିବନ୍ଧ,୫ା୧୨(ଡି.ଏନ୍‌.ଏ.)- ଦୀର୍ଘଦିନଧରି ଶିକ୍ଷକ ପଦବୀ ପୂରଣ ହେଲାନି, ପାଠ ପଢାରେ ବହୁ ଅସୁବିଧା ହେଲା, ଶେଷରେ ଛାତ୍ରମାନେ ପାହାଡ଼ ପର୍ବତ ଘେରା ୨୬ କି.ମି. ରାସ୍ତା ଚାଲିଚାଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରଶାସନକୁ ଗୁହାରି ଜଣାଇଲେ। ଏପରି ଏକ ଅଭାନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକରେ।
ତୁମୁଡ଼ିବନ୍ଧ ବ୍ଲକ ବେଲଘର ପଞ୍ଚାୟତରେ ରହିଛି ସରକାରୀ ଉଚ୍ଚ ବିଦ୍ୟାଳୟ। ଏହି ସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୩୭୫ ଛାତ୍ରୀଛାତ୍ର ପଢନ୍ତି। ୧୪ ଜଣ ଶିକ୍ଷକ ପଦବୀ ଥିବାବେଳେ ମାତ୍ର ୬ ରୁ ୭ ଜଣ ଶିକ୍ଷକ ଅଛନ୍ତି। କୌଣସି କାମରେ ଜଣେ ୨ଜଣ ଶିକ୍ଷକ ଅନୁପସ୍ଥିତ ରହିଲେ ଉକ୍ତଦିନ ପାଠପଢା ଗୁରୁତର ବାଧାପ୍ରାପ୍ତ ହୋଇଥାଏ। ବିଜ୍ଞାନ ଏବଂ ଗଣିତ ଶିକ୍ଷକ ନ ଥିବାରୁ କଳା ଶିକ୍ଷୟିତ୍ରୀ ଶିକ୍ଷକମାନେ ଶିକ୍ଷାଦାନ କରୁଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କୁ ପାଠ ବୁଝିବାରେ ଅସୁବିଧା ହେଉଛି। ବାରମ୍ବାର ଶିକ୍ଷକ ପଦବୀ ପୂରଣ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିଲା। ଶେଷରେ ବୁଧବାର ଭୋର ୩ଟାରୁ ପ୍ରବଳ ଶୀତରେ ୫୪ଜଣ ଛାତ୍ର ଜଙ୍ଗଲଘେରା ରାସ୍ତାରେ ୨୬ କି.ମି. ଚାଲିଚାଲି ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ୫ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ମୁଖ୍ୟରାସ୍ତାରେ ଚାଲିଚାଲି ଆସୁଥିଲେ ମଧ୍ୟ ପ୍ରଶାସନ ପାଖରେ କୌଣସି ଖବର ନଥିଲା।

ତେବେ ଛାତ୍ରମାନେ ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବାପରେ ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯିବା ସହ ବିସ୍କୁଟ ଏବଂ ପାଣି ବ୍ୟବସ୍ଥା କରାଯାଇଥିଲା। ତୁମୁଡ଼ିବନ୍ଧ ଭାରପ୍ରାପ୍ତ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ, ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (ବିଏସ୍‌ଏସ୍‌ଓ) ମନୋଜ କୁମାର ସାହୁ ଓ ଜନମଙ୍ଗଳ ଅଧିକାରୀ ଏକଗାଡ଼ି କରି ଛାତ୍ରମାନଙ୍କୁ ବିଦ୍ୟାଳୟକୁ ନେଇଥିଲେ। ସେଠାରେ ସମ୍ପୃକ୍ତ ଅଧିକାରୀମାନେ ମଧ୍ୟ ଯାଇ ବା ଆଲୋଚନା ପରେ କୃର୍ଷ୍ଣଚନ୍ଦ୍ର ବଳିଆରସିଂଙ୍କୁ ଅସ୍ଥାୟୀ ଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲେ। ଦିନେ ଦୁଇଦିନ ମଧ୍ୟରେ ଆଉ କେତେଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଦାବିପୂରଣ ନହେଲେ ପୁଣି ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଅଭିଭାବକ।