Advertisement

୨୬ ନଂ. ଜାତୀୟ ରାଜପଥରେ ଅଟକୁଥିବା ଗାଡ଼ିରୁ ତେଲ ଚୋରି: ପୋଲିସ ପ୍ରଶାସନର ନିଷ୍କ୍ରିୟତା, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

ପଟ୍ଟାଙ୍ଗୀ,୨୩।୮(ଡି.ଏନ୍‌.ଏ.): କୋରାପୁଟ ଜିଲା ତଥା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମା ଦେଇ ଯାଇଥିବା ୨୬ ନଂ. ଜାତୀୟ ରାଜପଥରେ ଯାତାୟାତ କରୁଥିବା ସମସ୍ତ ଛୋଟ ବଡ଼ ଗାଡ଼ିରୁ ବିଳମ୍ବିତ ରାତିରେ ତେଲ ଚୋରି ହେଉଛି। ଏ ନେଇ ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଅସାମାଜିକ ବ୍ୟକ୍ତି। ଉକ୍ତ ବ୍ଲକର ଭାରତୀୟ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ପୁନର୍ବାର ଏଭଳି ଏକ ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଛତିଶଗଡ଼ ରାୟପୁରଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଚାଉଳ ବୋଝେଇ ଟ୍ରକ୍‌(ସିଜି୦୪/ଏମ୍‌ବି-୬୪୬୬) ବିଳମ୍ବିତ ରାତିରେ ପଟ୍ଟାଙ୍ଗୀ ବ୍ଲକ ଦେଇ ଯାଉଥିବା ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଉପରୋକ୍ତ ବ୍ୟାଙ୍କ ନିକଟରେ ଅଟକି ରହିଥଲ। ପରେ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର ଗାଡ଼ିଭିତରେ ଶୋଇପଡ଼ିଥିଲେ। ସକାଳୁ ତେଲ ଟ୍ୟାଙ୍କିରେ ଲାଗିଥିବା ପାଇପ୍‌ ଓ କିଛି ନଟ୍‌ବୋଲ୍‌ଟ ତଳେ ପଡି ରହିଥିବା ସହ ଟ୍ରକ୍‌ରେ ସମସ୍ତ ଡିଜେଲ ଚୋରି ହୋଇଥିବା ଜାଣି ପୋଲିସ ନିକଟରେ ଡ୍ରାଇଭର ଅସିତ କୁମାର ପଣ୍ଡା ଲିଖିତ ଅଭିଯୋଗ କରିଥିବା କହିଥିଲେ । ଟ୍ରକ୍‌ ତେଲ ଟ୍ୟାଙ୍କିରୁ ପ୍ରାୟ ୩ଶହ ଲିଟର ଡିଜେଲ ଚୋରି ହୋଇଯାଇଥିଲ। ଏହାର ଆନୁମାନିକ ମୂଲ୍ୟ ୨୧,୬୦୦ଟଙ୍କାର ହେବ ବୋଲି ସେ କହିଛନ୍ତି।
ବିଗତ ଦିନରେ ଅନେକ ଥର ଏହିପରି ଚୋରି ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ ଉପରେ କୌଣସି ଫରକ ପଡୁ ନ ଥିବା ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share