Categories: ଜାତୀୟ

୨୬ ବର୍ଷରେ ୩୧ ହଜାର ୮୪୫ ହାଜତ ମୃତ୍ୟୁ: ୫ ରାଜ୍ୟରେ ସର୍ବାଧିକ

ନୂଆଦିଲ୍ଲୀ,୧୦।୧୨: ଦେଶରେ ମାନବାଧିକାରକୁ ଅଣଦେଖା କରାଯାଉଛି। ଫଳରେ ୧୯୯୩ଠାରୁ ୨୦୧୯ ପର୍ଯ୍ୟନ୍ତ ଗତ ୨୬ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ହାଜତରେ ୩୧ ହଜାର ୮୪୫ ହାଜତ ମୃତ୍ୟୁ ଘଟଣା ଘଟିଛି। ବିଚାରାଧୀନ ଅପରାଧୀଙ୍କର ବିଚାର ପୂର୍ବରୁ ମୃତ୍ୟୁ ଘଟିଛି। ଏଭଳି ଘଟଣାରେ ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ବିହାର ଆଦି ରାଜ୍ୟ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତିି। ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହା ସୂଚିତ ହୋଇଛି। ଏହି ସମୟ ମଧ୍ୟରେ ମାନବାଧିକାରକୁ ଅଣଦେଖା କରାଯାଉଥିବା ନେଇ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ପକ୍ଷରୁ ୧୮ ଲକ୍ଷ ୩୧ ହଜାର ମାମଲା ଦାଏର କରାଯାଇଥିବାବେଳେ ରାଜ୍ୟ ମାନବାଧିକାର ଆୟୋଗ ପକ୍ଷରୁ ୧୮ଲକ୍ଷ ୮୯ ହଜାର ମାମଲା ଦାଏର ହୋଇଛି। ପ୍ରଶାସନିକ କ୍ଷେତ୍ରରେ ମାନବାଧିକାର ଆୟୋଗର ମୋଟ ୮୩୫ ପଦବୀ ମଧ୍ୟରୁ ୨୮୬ ଖାଲି ପଡ଼ିଛି। ତେଣୁ ଏହାର ସୁଫଳ ଜନସାଧାରଣଙ୍କୁ ମିଳିପାରୁ ନ ଥିବା କୁହାଯାଉଛି। ଅରୁଣାଚଳ ପ୍ରଦେଶ, ମିଜୋରାମ୍‌ ଏବଂ ନାଗାଲାଣ୍ଡ୍‌ରେ ମାନବାଧିକାର ଆୟୋଗ ସ୍ଥାପିତ ହୋଇ ପାରି ନାହିଁ। ପଞ୍ଜାବ, ପଶ୍ଚିମବଙ୍ଗ,ବିହାର, ଆସାମ ଏବଂ ତାମିଲନାଡୁ ଆଦି ୫ ରାଜ୍ୟରେ ସର୍ବାଧିକ ହାଜତ ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ମାନବାଧିକାର ସମ୍ପର୍କରେ ଲୋକଙ୍କ ସଚେତନ କରାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୦କୁ ମାନବାଧିକାର ଦିବସ ଭାବେ ପାଳନ କରାଯାଉଛି।

Share