୨୬ ଶ୍ରମିକଙ୍କୁ ସଂଗରୋଧ ଗୃହକୁ ପଠାଇଲା ପୋଲିସ

ଭବାନୀପାଟଣା/କୋକସରା,୨୦।୪(ସ୍ବ.ପ୍ର/ଡି.ଏନ.ଏ.): ଫୁଲବାଣୀରୁ ୨୬ଜଣ ଶ୍ରମିକ ନରଙ୍ଗପୁରକୁ ଚାଲିଚାଲି ଆସୁଥିବା ସମୟରେ ସୋମବାର ଆମପାଣି ପୋଲିସ ହାତରେ ଧରା ପଡିଥିଲେ। ପରେ ଉକ୍ତ ଶ୍ରମିକମାନଙ୍କୁ ସ୍ଥାନୀୟ ସଂଗରୋଧ ଗୃହରେ ଥଇଥାନ କରାଯାଇଛି। ମିଳିଥିବା ସୁଚନା ଅନୁସାରେ, ଫୁଲବାଣୀ ଜିଲା ଖଜୁରୀପଡାଠାରେ ନବରଙ୍ଗପୁର ଜିଲାର ୨୬ଜଣ ଶ୍ରମିକ ଏକ ରାସ୍ତା କାମରେ ନିୟୋଜିତ ଥିଲେ। ଲକ୍‌ଡାଉନ ଯୋଗୁଁ ସେମାନେ ସେଠାରେ ଫସିରହି ଥିଲେ। ତେବେ କୌଣସି ଉପାୟ ନ ପାଇ ଶେଷରେ ଗତ ୪ତାରିଖଠାରୁ ସେମାନେ ସେଠାରୁ ବାହାରି ନିଜ ଅଞ୍ଚଳକୁ ଚାଲିଚାଲି ଫେରୁଥିଲେ। ଏ ନେଇ ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗିଙ୍କୁ ପଚାରିବାରୁ ଉଦ୍ଧାର ଶ୍ରମିକମାନଙ୍କୁ ଆମପାଣି ସଂଗରୋଧ ଗୃହରେ ଥଇଥାନ କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

Share