Categories: ଜାତୀୟ

୨୭ରେ ଟିଏମ୍‌ସିର ସିଏଏ ବିରୋଧୀ ସଂକଳ୍ପନାମା

କୋଲକାତା,୨୨ା୧(ପି.ଟି.): ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାନସଭାରେ ସିଏଏ ବିରୋଧୀ ସଂକଳ୍ପନାମା ଆଣିବ। ନୂଆ ନାଗରିକତ୍ୱ ଆଇନ ବିରୋଧରେ ଜାନୁୟାରୀ ୨୭ରେ ଗୃହରେ ପ୍ରସ୍ତାବ ଆଗତ କରାଯିବ ବୋଲି ଦଳ ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। କେରଳ ଓ ପଞ୍ଜାବ ପରେ ଏଭଳି ପଦକ୍ଷେପ ନେବାରେ ପଶ୍ଚିମବଙ୍ଗ ତୃତୀୟ ରାଜ୍ୟ ହେବାକୁ ଯାଉଛି।
ବିରୋଧରେ ବିଧାନସଭାରେ ପ୍ରସ୍ତାବ ଏଯାଏ ଗୃହୀତ ହୋଇ ନ ଥିବାରୁ ଟିଏମ୍‌ସିକୁ ପଶ୍ଚିମବଙ୍ଗର ପ୍ରମୁଖ ଅଣଭାଜପା ଦଳଗୁଡ଼ିକ ଟାର୍ଗେଟ କରୁଛନ୍ତି। ଏହକୁ ନେଇ ରାଜ୍ୟର ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ମଙ୍ଗଳବାର କହିଛନ୍ତି, ଟିଏମ୍‌ସି ପକ୍ଷରୁ ଏକ ସଂକଳ୍ପନାମା ଆସନ୍ତା ୨୭ରେ ଅଣାଯିବ। ବାଚସ୍ପତିଙ୍କୁ ସୋମବାର ଏହି ପ୍ରସ୍ତାବ ଦିଆଯାଇଛି। ଗତ ସେପ୍ଟେମ୍ବରରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ସଂକଳ୍ପାନାମା ଗୃହୀତ ହୋଇଥିଲା। ସିଏଏ, ଏନ୍‌ଆର୍‌ସି ଏବଂ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନ୍‌ପିଆର୍‌) ବିରୋଧରେ ଲଢ଼େଇ କିପରି ଜାରି ରଖାଯିବ ସେନେଇ କାହାଠୁ ଆମର ଶିକ୍ଷା ନେବା ଦରକାର ନାହିଁ।

Share