ବାଲିଆ, ୨୬।୨: ବିରିଡି ବ୍ଲକର ବିଭିନ୍ନ ସମବାୟ ସମିତିରେ ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଧାନ କିଣିବା ପାଇଁ ମଣ୍ଡି ଖୋଲାଯାଇଥିବା ବେଳେ ଧାନ ବିକ୍ରି ପାଇଁ ଚାଷୀମାନେ ନାନା ସମସ୍ୟା ଭୋଗୁଛନ୍ତି। ଏହାର ପ୍ରତିବାଦରେ ପୂରଣ ମଣ୍ଡଳ ଭାଜପା ପକ୍ଷରୁ ୨୭ ତାରିଖରେ ପୂରଣ ମଣ୍ଡି ଘେରାଉ କରାଯିବ। ଏ ନେଇ ଭାଜପା ସଭାପତି ସଭାପତି ତରୁଣ କୁମାର ଦାସ ମଙ୍ଗଳବାର ସୂଚନା ଦେଇଛନ୍ତି। ବରିଷ୍ଠ ନେତା ରମାକାନ୍ତ ଭୋଇ ଏହାର ନେତୃତ୍ୱ ନେବେ ଏବଂ ଶତାଧିକ ଚାଷୀ ଓ ଦଳୀୟ କର୍ମୀମାନେ ଏଥିରେ ସାମିଲ ହେବେ ବୋଲି ତରୁଣ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବସନ୍ତପୁରଠାରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନେତା ଭୋଇଙ୍କ ସମେତ ନରେଶ ଓଝା, ଦେବବ୍ରତ ପରିଜା, ବିଭୂତି ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। ମଣ୍ଡିରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବାରୁ ଚାଷୀମାନେ ଧାନ ବିକ୍ରି କରିବାରେ ବହୁ ଅସୁବିଧା ଭୋଗୁଛନ୍ତି। ଏଥିସହ ଅନେକ ଚାଷୀ ଧାନ ବିକ୍ରି କରି ନପାରି ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ମଣ୍ଡି ପରିଚାଳନାରେ ସ୍ବଚ୍ଛତା ରହୁ ନଥିବାରୁ ଚାଷୀମାନଙ୍କୁ ହଇରାଣ ହେବାକୁ ପଡୁଛି। ତେବେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମଣ୍ଡି ଘେରାଉ କରାଯିବାକୁ ସ୍ଥିର କରାଯାଇଥିବା ମଣ୍ଡଳ ଭାଜପା ସଭାପତି ତରୁଣ ସୂଚନା ଦେଇଛନ୍ତି।