ଦୁବାଇ,୧୪।୧: ଦୁବାଇରେ ୧୯୯୬ ପରେ ଚଳିତ ବର୍ଷ ପ୍ରବଳ ବର୍ଷା ହୋଇଛି। ବର୍ଷାରେ ବିମାନ ବନ୍ଦର ରନ୍ ଓ୍ବେ ବୁଡ଼ିଯିବାରୁ କେତେକ ବିମାନ ଉଡ଼ାଣକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା। ଏହି ବର୍ଷା ଯୋଗୁ ଲୋକେ ହନ୍ତସନ୍ତ ହୋଇଥିବାବେଳେ ଯୁବ ଫଟୋଗ୍ରାଫର ଜୋହେବ୍ ଅଞ୍ଜୁମ୍ କିନ୍ତୁ ବେଶ୍ ଲାଭାନ୍ବିତ ହୋଇଛନ୍ତି। ସେ ବର୍ଷା ସମୟରେ ଦୁବାଇର ଉଚ୍ଚତମ ବିଲ୍ଡିଂ ବୁର୍ଜ ଖଲିଫା ଉପରେ ହୋଇଥିବା ବଜ୍ରପାତର ଫଟୋ ଅତି ସୁନ୍ଦର ଭାବେ ନିଜ କ୍ୟାମେରାରେ ଉତ୍ତୋଳନ କରିଛନ୍ତି। ୨୭୨୯ ଫୁଟ ଉଚ୍ଚା ବୁର୍ଜ ଖଲିଫାର ଏଭଳି ଫଟୋ ଉଠାଇବାକୁ ସେ ଦୀର୍ଘ ସାତ ବର୍ଷ ଧରି ଅପେକ୍ଷା କରିଥିବା କହିଛନ୍ତି। ଏହି ଫଟୋ ଉଠାଇ ସେ ଏବେ ପ୍ରଶଂସା ସାଉଁଟିଛନ୍ତି। ପ୍ରବଳ ବର୍ଷା ସମୟରେ ଲୋକେ ଘରେ ଥିବାବେଳେ ଅଞ୍ଜୁମ୍ ସାରା ରାତି ବୁର୍ଜ ଖଲିଫା ସମ୍ମୁଖରେ ମରୁଭୂମିରେ ଏକ ପାଲ ତଳେ ବସି ରହିଥିଲେ। ଶେଷରେ ତାଙ୍କର ବହୁଦିନର ସ୍ବପ୍ନ ସତ୍ୟ ହୋଇଥିଲା। ଏବେ ତାଙ୍କର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।