୨୮% ସଂକ୍ରମିତଙ୍କଠାରେ ଲକ୍ଷଣ ନାହିଁ

ନୂଆଦିଲ୍ଲୀ,୩୧ା୫(ପି.ଟି.): ଭାରତରେ ଏପ୍ରିଲ ୩୦ ସୁଦ୍ଧା ୪୦,୧୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୮ ପ୍ରତିଶତଙ୍କଠାରେ କୋଭିଡ୍‌-୧୯ର କୌଣସି ଲକ୍ଷଣ ନ ଥିଲା ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ସାମାନ୍ୟ କିମ୍ବା ଆଦୌ ଲକ୍ଷଣ ଦେଖାଉ ନ ଥିବା ଲୋକଙ୍କୁ କରୋନା ଭୂତାଣୁ ସଂକ୍ରମଣ କରୁଥିବାରୁ ଏହା ଚିନ୍ତା ବଢ଼ାଇଦେଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ବୈଜ୍ଞାନିକଙ୍କ ସହିତ ଅନ୍ୟମାନେ ଏହି ଅଧ୍ୟୟନ କରିଥିଲେ। ଯେଉଁମାନଙ୍କର ନମୁନା ପରୀକ୍ଷା ହୋଇଛି ଏବଂ ଯେଉଁମାନଙ୍କଠାରେ କରୋନା ପଜିଟିଭ୍‌ ରହିଛି, ଉଭୟଙ୍କ ମଧ୍ୟରୁ ଏକ ବଡ଼ ଭାଗ ଲୋକଙ୍କଠାରେ ରୋଗର କୌଣସି ଲକ୍ଷଣ ନ ଥିଲା। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫.୨ ପ୍ରତିଶତ ହେଉଛନ୍ତି ସ୍ବାସ୍ଥ୍ୟ କର୍ମଚାରୀ। ଲକ୍ଷଣ ନ ଥିବା ୨୮.୧ ପ୍ରତିଶତଙ୍କ ମଧ୍ୟରୁ ୨୫.୩ ପ୍ରତିଶତ କରୋନା ରୋଗୀଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିଲେ। ଅବଶିଷ୍ଟ ୨.୮ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ, ଯେଉଁମାନେ ଉପଯୁକ୍ତ ସୁରକ୍ଷା ଉପକରଣ ବିନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ତେବେ ଲକ୍ଷଣ ନ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୮.୧ ପ୍ରତିଶତରୁ ଅଧିକ ହୋଇପାରେ ଯାହା କି ଉଦ୍‌ବେଗର କାରଣ ହୋଇଛି ବୋଲି ଆଇସିଏମ୍‌ଆର୍‌ର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏପିଡେମିଓଲୋଜି ନିର୍ଦ୍ଦେଶକ ମନୋଜ ମୁର୍‌ହେକର କହିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି, ଲକ୍ଷଣ ଦେଖାଉ ନ ଥିବା ଲୋକଙ୍କଠାରେ ସଂକ୍ରମଣ ହାର ଅଧିକ। ଜାନୁୟାରୀ ୨୨ରୁ ଏପ୍ରିଲ ୩୦ ମଧ୍ୟରେ ମୋଟ ୧୦,୨୧,୫୧୮ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା।

Share