୨୯ଦିନ ହେବ ଯୁବକଙ୍କ ପତ୍ତା ମିଳୁନି

ଭୁବନେଶ୍ୱର, ୨୦।୧୧ (ବ୍ୟୁରୋ) : ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିରୁ ଜଣେ ଯୁବକ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ସେ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ପ୍ରହରାଜପୁର ଗ୍ରାମର କୃଷ୍ଣଚନ୍ଦ୍ର ବାରିକଙ୍କ ପୁଅ ସୁବୋଧ ଓରଫ ତପନ(୩୯)। ବେହେରା ସାହିସ୍ଥିତ ସମ୍ପର୍କୀୟଙ୍କ ଘରୁ ତାଙ୍କର ବାଇକ୍‌, ମୋବାଇଲ୍‌ ଫୋନ୍‌, ବ୍ୟାଗ୍‌ ଓ ପୋଷାକପତ୍ର ଆଦି ମିଳିଥିଲେ ମଧ୍ୟ ୨୯ଦିନ ହେବ ତାଙ୍କର ପତ୍ତା ମିଳୁନି। ପରିବାର ଲୋକେ ଭୁବନେଶ୍ୱର ଆସି ଥାନାରେ ଅଭିଯୋଗ କରିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଛନ୍ତି। ପୋଲିସ ଏନେଇ ଏକ ନିଖୋଜ ମାମଲା (ନଂ.୭୯/୧୯) ରୁଜୁ କରି ଅନୁସନ୍ଧାନ ଚଳାଇଛି।
ଅଭିଯୋଗ ଅନୁସାରେ, ତପନ କୌଣସି କାର୍ଯ୍ୟରେ ଭୁବନେଶ୍ୱର ଆସି ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଭିଏସ୍‌ଏସ୍‌ ନଗରରେ ରହୁଥିବା ପରିଚିତଙ୍କ ପାଖରେ ରହିଥିଲେ। ଗତ ୨୩ ତାରିଖ ରାତିରେ ସେ ଉକ୍ତ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ହେଲେ ଗେଟ୍‌ରେ ତାଲା ପଡ଼ିଥିବାରୁ ଖୋଲିବାକୁ ଡାକିଥିଲେ ମଧ୍ୟ କେହି ଶୁଣିପାରି ନ ଥିଲେ। ବର୍ଷା ଜୋର୍‌ରେ ହେବାରୁ ସେ ଆଉ ଫେରିପାରି ନ ପାରି ଗେଟ୍‌ ନିକଟରେ ଭିଜି ଭିଜି ଗାଡ଼ି ଉପରେ ଶୋଇପଡିଥିଲେ। ସକାଳେ ସମ୍ପର୍କୀୟମାନେ ଦେଖି ତାଙ୍କୁ ଘରକୁ ନେଇଥିଲେ। ଏହାର କିଛି ଘଣ୍ଟା ପରେ ସମ୍ପର୍କୀୟ ଲୋକେ ତାଙ୍କ ମାଆଙ୍କୁ ଫୋନ୍‌ କରି ତୁରନ୍ତ ନେଇଯିବାକୁ କହିଥିଲେ। ଏକଥାଶୁଣି ତପନଙ୍କ ସହ ତାଙ୍କ ମାଆ ଚମ୍ପାବତୀ ଫୋନ୍‌ରେ କଥା ହୋଇଥିଲେ। କିନ୍ତୁ ପରେ ସେ ବାଲ୍‌କୋନି ଡେଇଁ କେଉଁଆଡ଼େ ପଳାଇଥିବା ନେଇ ସମ୍ପର୍କୀୟ ଫୋନ୍‌ କରି ପରିବାର ଲୋକଙ୍କୁ ଜଣାଇଥିଲେ। ସନ୍ଧ୍ୟାରେ ପରିବାର ଲୋକେ ଭୁବନେଶ୍ୱର ଆସି ପୁଅର ନିଖୋଜ ସମ୍ପର୍କରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସମ୍ପର୍କୀୟଙ୍କୁ ଡାକି ପଚରାଉଚରା କରିବା ସହ ବିଭିନ୍ନ ଥାନାକୁ ସୂଚନା ଦିଆଯାଇଥିଲେ ମଧ୍ୟ କିଛି ବି ସୁରାକ ପାଇପାରୁନି। ତାଙ୍କ ସମ୍ପର୍କରେ ସୂଚନା ପାଇଲେ ନୟାପଲ୍ଲୀ ଥାନା ନଂ.୦୬୭୪୨୫୫୬୬୬୮ରେ ଯୋଗାଯୋଗ କରିବାକୁ କୁହାଯାଇଛି। ତେବେ କେଉଁ ପରିସ୍ଥିତିରେ ତପନ ସମ୍ପର୍କୀୟଙ୍କ ଘରେ ନିଜ ମୋବାଇଲ୍‌ ଫୋନ୍‌, ଗାଡ଼ି, ପ୍ୟାଣ୍ଟ୍‌ଶାର୍ଟ, ଚପଲ, ପର୍ସ ଛାଡ଼ି ପଳାଇଲେ ନା ତାଙ୍କ ସହ ଅନ୍ୟ କିଛି ଘଟଣା ଘଟିଲା ତାହାର ତଦନ୍ତ କରି ପୁଅକୁ ଖୋଜି ଦେବାକୁ ମାଆ ପୋଲିସକୁ ନିବେଦନ କରିଛନ୍ତି।

Share