୨୯ବର୍ଷ ପରେ ଏହି ଦେଶରେ ଦେଖିବାକୁ ମିଳିଲା ବିରଳ ଧଳା ହ୍ବେଲ

କାନବେରା,୧୯।୬: ଦକ୍ଷିଣ ଅଷ୍ଟ୍ରେଲିଆର ଏକ ସମୁଦ୍ରରେ ୨୯ବର୍ଷ ପରେ ଏକ ବିରଳ ଧଳା ହମ୍ପବେକ ହ୍ବେଲ ଦେଖିବାକୁ ମିଳିଛି। ଏହା ପୂର୍ବରୁ ୧୯୯୧ରେ ଏହି ହ୍ବେଲକୁ ଏଠାରେ ଦେଖିବାକୁ ମିଳିଥିଲା। ପୁଣିଥରେ ଏହି ଅଞ୍ଚଳରେ ବିରଳ ଧଳା ହମ୍ପବେକ ହ୍ବେଲ ବାହାରିଛି। ଏହି ଖବର ପାଇବା ମାତ୍ରେ ଲୋକମାନେ ସମୁଦ୍ର କଳରେ ଭିଡ଼ ଜମାଉଥିବା ଦୃଶ୍ୟ ନଜର ଆସିଛି। ତେବେ ଏହି ବିରଳ ଧଳା ହ୍ବେଲର ନାମ ହେଉଛି ମିଗାଲୁ। ଏହି ହ୍ବେଲ ଆଣ୍ଟାଟିକାରୁ ବୁଲି ବୁଲି କୁଇନ୍ସଲାଣ୍ଡ ଉପକୂଳରେ ଆସି ପହଞ୍ଚିଛି। କୁଇନ୍ସଲାଣ୍ଡ ଉପକୂଳଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ସମୁଦ୍ରରେ ଆଉ ଏକ ହ୍ବେଲ ସହ ମିଗାଲୁ ଖେଳୁଥିବା ଦେଖିବାକୁ ମିଳିଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମିଗାଲୁ ହ୍ବେଲ ନାଁରେ କେତେକ ଓ୍ବେବସାଇଟ୍‌ ରହିଥିବା ବେଳେ ଏହାର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ ମଧ୍ୟ ରହିଛି। ବର୍ତ୍ତମାନ ବିଶ୍ୱରେ ଥିବା ୪୦ହଜାର ହମ୍ପବେକ ହ୍ବେଲ ମଧ୍ୟରୁ ଏହା ଗୋଟିଏ। କିନ୍ତୁ ଏହି ହ୍ବେଲ ନିଜ ରଙ୍ଗ ପାଇଁ ସବୁଠାରୁ ବିରଳ। କାରଣ ଏହା ଅତି ମନୋରମ ହୋଇଥାଏ। ଏତଦ୍‌ ବ୍ୟତୀତ ମିଗାଲୁକୁ ନେଇ ଅଷ୍ଟ୍ରେଲିଆରେ କଡ଼ା ନିୟମ କରାଯାଇଛି। ଏହି ନିୟମ ଅନୁସାରେ ତାକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସହ ମିଗାଲୁକୁ କୌଣସି କ୍ଷତି ପହଞ୍ଚାଇଲେ କଠୋର ଦଣ୍ଡ ଦିଆଯିବ ବୋଲି ସୂଚନା ରହିଛି।

Share