୨୯ରେ ଲଘୁଚାପ:୩୧ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୨୮ା୮(ବ୍ୟୁରୋ):ଆସନ୍ତା ୨୯ ତାରିଖରେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଯୋଗୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ ଏହାର ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉପକୂଳ ଓ ଆଭ୍ୟନ୍ତରୀଣ ଜିଲାର କେତେକ ସ୍ଥାନରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଆସନ୍ତା ୩୧ ତାରିଖରୁ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି।
ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଟ୍ରପ ଲାଇନ ରହିଛିି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ, ଭଦ୍ରକ, ଜଗତସିଂହପୁର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି କଟକ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଭଦ୍ରକ, ଜଗତସିଂହପୁର ଏବଂ ବାଲେଶ୍ୱର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୩ ମିଲିମିଟର ବର୍ଷା ହୋଇଥିବା ବେଳେ ଚାନ୍ଦବାଲି ୧୩, କଟକ ୪.୮, ପାରାଦୀପ ୫.୫, ଝାରସୁଗୁଡା ୧୫.୬, ସମ୍ବଲପୁର ୧୪.୨, ହୀରାକୁଦ ୧.୪, ଭବାନୀପାଟଣା ୧୨, କୋରାପୁଟ ୧୧.୬, ସୋନପୁର ୪୫ ଏବଂ ଦାରିଙ୍ଗୀବାଡିରେ ୧୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।