୨୯ରେ ଲଘୁଚାପ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଆସନ୍ତା ୨୯ ତାରିଖରେ ଉତ୍ତର ପୂର୍ବ କିମ୍ବା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୯ ତାରିଖ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୩୦ରୁ ୨ ତାରିଖ ଯାଏ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଲଘୁଚାପ ପ୍ରଭାବ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହୋଇଯିବ। ତେବେ ଦକ୍ଷିଣ ଓଡ଼ିଶାରେ ବର୍ଷା ସାମାନ୍ୟ କମ ରହିବ ବୋଲି ଅନୁମାନ କରାଯାଇଛି। ମୌସୁମୀ ଆଗମନର ଦୁଇ ଦିନ ପରେ ରାଜ୍ୟରେ ପାଗ ଶୁଖିଲା । ପୁଣି ପ୍ରବଳ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ଏଭଳି ପାଗ ଆସନ୍ତା ୨୮ ତାରିଖ ଯାଏ ଲାଗି ରହିବ। ୨୯ ତାରିଖରେ ପାଗରେ ପରିବର୍ତ୍ତନ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ହେବା ସହ ଲଗାତର ୪ ଦିନ ବର୍ଷା ଲାଗି ରହିବ। ଆସନ୍ତା ୪ ଦିନ ଯାଏ ରାଜ୍ୟରେ କାଁ ଭାଁ ବର୍ଷା ଲାଗି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, ଗଜପତି ଏବଂ ନୂଆପଡା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।