୨୯୯ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ଉଚ୍ଚଶିକ୍ଷାରେ ଗବେଷଣାକୁ ଗୁରୁତ୍ୱ ଦିଆଯାଉଛି

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଶିକ୍ଷକମାନେ ହେଉଛନ୍ତି ସମାଜର ପଥ ପ୍ରଦର୍ଶକ। ପିଲାଙ୍କ ଭବିଷ୍ୟତ ଗଠନ ସହ ସେମାନେ ଛାତ୍ରୀଛାତ୍ରଙ୍କ ସୃଜନଶୀଳତାକୁ ପରିପ୍ରକାଶ କରିବା ପାଇଁ ଉତ୍ସାହିତ କରିଥାନ୍ତି। ସେମାନଙ୍କୁ ରୋଜଗାରକ୍ଷମ କରିବା ସହ ସମାଜ, ରାଜ୍ୟ ଓ ଦେଶକୁ ସମୃଦ୍ଧ କରାଇବାର ଠିକଣା ଦୃଷ୍ଟିଭଙ୍ଗୀ ପ୍ରଦାନ କରିଥାନ୍ତି। ଅଧ୍ୟାପନା ବୃତ୍ତି ସମାଜରେ ସବୁଠାରୁ ବଡ଼ ସମ୍ମାନ ବହନ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନବନିଯୁକ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ଉଚ୍ଚଶିକ୍ଷାର ମାନ ବୃଦ୍ଧି ଲାଗି ସମସ୍ତ ଉଦ୍ୟମ କରୁଛନ୍ତି। ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା କରାଯାଉଛି। ସାମାଜିକ ଓ ଆର୍ଥତ୍କ ବିକାଶ କ୍ଷେତ୍ରରେ ଗୁରୁତ୍ୱ ରଖୁଥିବା ବିଷୟ ଉପରେ ଅଧିକରୁ ଅଧିକ ଗବେଷଣା କରିବାକୁ ପ୍ରୋତ୍ସାହନ ଦିଆଯାଉଛି। କ୍ୟାରିୟର୍‌ କାଉନସେଲିଂ ସେଲ୍‌, ସିଭିଲ ସର୍ଭିସ ପାଇଁ ସ୍ବତନ୍ତ୍ର କୋଚିଂ ସେଣ୍ଟର ଖୋଲାଯିବା ସହ ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ବୃତ୍ତି ପ୍ରଦାନ କରାଯାଉଛି। ଓଡ଼ିଆ ଭାଷାର ବିକାଶ ଲାଗି ଓଡ଼ିଆ ବିଶ୍ୱବିଦ୍ୟାଳୟ ଖୋଲିବା ଦିଗରେ ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ନବନିଯୁକ୍ତ ଅଧ୍ୟାପକମାନଙ୍କୁ ରାଜ୍ୟ ସରକାରଙ୍କ ‘୫-ଟି’ ମନ୍ତ୍ରକୁ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ। କେତେକ ବିଭାଗରେ ନିଯୁକ୍ତି ନେଇ କୋର୍ଟରେ ମାମଲା ଚାଲିଥିବାରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଥିବା ସେ କହିଥିଲେ। ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୮୩୩ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏହି ଅବସରରେ ୨୯୯ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା।

Share