ଦିଗପହଣ୍ଡି,୧୨ା୩(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମସ୍ଥିତ ମା’ ବାଙ୍କେଶ୍ୱରୀଙ୍କ ଯାତ୍ରାରେ ସୋମବାର ସିଦ୍ଧେଶ୍ୱର ଗଣିଆ ନାଳ ଛକରେ ରହୁଥିବା ସୂର୍ଯ୍ୟମଣି ସାହୁ ନାମ୍ନୀ ମହିଳାଙ୍କ ବେକରୁ ପ୍ରାୟ ୨ ଭରି ଓଜନର ସୁନା ଖାସୁମାଳି କେହି ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୨ ଅଣ ଓଡ଼ିଆ ମହିଳାଙ୍କୁ ପୋଲିସ ଗିରଫ କରି ବୁଧବାର ସନ୍ଧ୍ୟାରେ ଦିଗପହଣ୍ଡି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ମେଦିନପୁର ଜିଲା ଖଡଗପୁର ଥାନା ଗୋଲବଜାର ଗ୍ରାମର ବିଦ୍ୟା ସେଠୀ ଓ ଲକ୍ଷ୍ମୀ ସେଠୀ। ଥାନା ମାମଲା ନଂ.୪୯/୨୦ ଦଫା ୩୭୯/୩୪ରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତା ଲକ୍ଷ୍ମୀ ନିକଟରୁ ଚୋରି ଯାଇଥିବା ସୁନା ଖାସୁ ମାଳି ଓ ୧୧ ଶହ ଟଙ୍କା ପୋଲିସ ଜବତ କରିଛି। ଅଭିଯୁକ୍ତା ଦ୍ୱୟ ବାରମ୍ବାର ସେମାନଙ୍କ ନାମ ଓ ଠିକଣା ପରିବର୍ତ୍ତନ କରି କହୁଥିବାରୁ ସେମାନଙ୍କ ପ୍ରକୃତ ନାଁ ଓ ଠିକଣା ସଂଗ୍ରହ ପାଇଁ ଉଦ୍ୟମ ଚାଲିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ମଧୁସ୍ମିତା ପ୍ରଧାନ କହିଛନ୍ତି।