୨ ଅପରାଧ ଘଟଣାରେ ୭ ଗିରଫ : ବ୍ରାଉନ୍‌ସୁଗାର, ବିପୁଳ ଟଙ୍କା, ମାରଣାସ୍ତ୍ର ଜବତ

ଜଟଣୀ,୨୨ା୭(ଡି.ଏନ.ଏ.) : ପୃଥକ୍‌ ଦୁଇ ଅପରାଧ ଘଟଣା ଚୋରା ବ୍ରାଉନ୍‌ସୁଗାର କାରବାର ଓ ଡକାୟତି ଯୋଜନା କରୁଥିବା ସମୟରେ ଜଟଣୀ ଥାନା ପୋଲିସ ଚଢାଉ କରି ୭ ଜଣଙ୍କୁ ରବିବାର ଗିରଫ କରିଛି। ବ୍ରାଉନ୍‌ସୁଗାର ଚୋରାରେ ବିକ୍ରୟ କରୁଥିବା ଖବରପାଇ ସ୍ଥାନୀୟ ନୂଆଗାଁ ଅଞ୍ଚଳରେ ପୋଲିସ ଚଢାଉ କରି ଦୁଇଜଣଙ୍କୁ ଧରିଥିଲା। ଗିରଫ ଦୁଇ ଅଭିଯୁକ୍ତ ହେଲେ ନୂଆଗାଁ ଅଞ୍ଚଳର କାହ୍ନୁ ସାମଲ ଓରଫ ଝୁଲ ଓ କୃଷ୍ଣ ବେହେରା ଓରଫ ଧଣ୍ଡ। ସେମାନଙ୍କଠାରୁ ୧୪ ଗ୍ରାମ ବ୍ରାଉନ୍‌ସୁଗାର ଓ ୧ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ପୋଲିସ ଜବତ କରିଛି। ଏ ନେଇ ୨୧(ବି) ଏନ୍‌ଡିପିଏସ୍‌ ଆକ୍ଟରେ ନଂ. ୨୫୮/୧୯ରେ ମାମଲା ରୁଜୁ ହୋଇଛି। ସେହିପରି ଜଟଣୀ-ଖୋର୍ଦ୍ଧା ମୁଖ୍ୟରାସ୍ତାର ବଡ଼ତୋଟା ଗ୍ରାମର ଅଳ୍ପ ଦୂରରେ ଶନିବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଚଢାଉ କରି ୫ ଜଣଙ୍କୁ କାବୁ କରି ନେଇଥିଲା। ଗିରଫ ୫ ଜଣ ହେଲେ ଏହି ଥାନା ଅନ୍ତର୍ଗତ ଛେଲଦା ଗ୍ରାମର ସୁଧାକର ମଙ୍ଗରାଜ, ନୂଆଗାଁର ସନ୍ଦୀପ ବେହେରା ଓରଫ ଚନ୍ଦନ, କିଶୋର ନାୟକ, ଦୀନେଶ ଭୋଇ ଓ ଗୋପବନ୍ଧୁ ନଗର ଅଞ୍ଚଳର ଆଲୋକ ହଦ। ସେମାନଙ୍କଠାରୁ କଟୁରି, ଖଣ୍ଡା, ଷ୍ଟିଲ ପାଇପ୍‌, ଦୁଇଟି ବାଇକ୍‌, ୫ଟି ମୋବାଇଲ୍‌ ଫୋନ୍‌ ଓ ୫୦୦ ଟଙ୍କା ପୋଲିସ ଜବତ କରିଛି। ଏ ନେଇ ନଂ. ୨୬୧/୧୯ରେ ମାମଲା ରୁଜୁ ହୋଇଛି।

Share