Categories: ଜାତୀୟ

୨ ଆତଙ୍କବାଦୀଙ୍କୁ ଚଣ୍ଡିଗଡ଼ରେ ପହଞ୍ଚାଇବା ପାଇଁ ଡିଏସ୍‌ପି କରିଥିଲେ ୧୨ ଲକ୍ଷ ଟଙ୍କାର ଡିଲ୍‌

ଶ୍ରୀନଗର,୧୩।୧: ଡିଏସ୍‌ପି ଦେବିନ୍ଦର ସିଂଙ୍କୁ ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ଗିରଫ କରାଯାଇଛି। କଶ୍ମୀରର କୁଲଗାମ୍‌ରେ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ୨ ଆତଙ୍କବାଦୀଙ୍କୁ ଚଣ୍ଡିଗଡ଼ରେ ପହଞ୍ଚାଇବା ପାଇଁ ଦେବିନ୍ଦର ୧୨ ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ। ସେଥିପାଇଁ ଦେବିନ୍ଦର ୪ ଦିନ ଛୁଟି ମଧ୍ୟ ନେଇଥିଲେ। ସେ ଆତଙ୍କବାଦୀଙ୍କ ଲାଗି ଅସ୍ତ୍ରଶସ୍ତ୍ର ଡିଲ୍‌ ମଧ୍ୟ କରୁଥିବା ପଚରାଉଚରା ସମୟରେ ଜଣାପଡ଼ିଛି। ଦେବିନ୍ଦରଙ୍କୁ ପଚରାଉଚରା ସମୟରେ ଆଇବି ଏବଂ ସୁରକ୍ଷା ସଂସ୍ଥା ର ଅଧିକାରୀ ଉପସ୍ଥିତ ରହିବେ ବୋଲି କୁହାଯାଉଛି। ପାର୍ଲାମେଣ୍ଟ ଉପରେ ଆକ୍ରମଣ ପରେ ଦେବିନ୍ଦରଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ଏହି ଘଟଣାର ମାଷ୍ଟର ମାଇଣ୍ଡ ଅଫଜଲ ଗୁରୁ ଦେବିନ୍ଦର ହିଁ ତାଙ୍କୁ କାର୍‌ ଯୋଗାଇ ଦେଇଥିବା ସେତେବେଳେ କହିଥିଲେ। ତେବେ କଶ୍ମୀରର ତତ୍‌କାଳୀନ ପୋଲିସ ମହାନିରୀକ୍ଷକ ବିଜୟ କୁମାର ଏହାକୁ ଖଣ୍ଡନ କରିଥିଲେ। ତାଙ୍କ ପାଖରେ ଏନେଇ କୌଣସି ତଥ୍ୟ ନ ଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Share