୨ ଆମେରିକୀୟ ପଣବନ୍ଦୀଙ୍କୁ ମୁକ୍ତକଲା ହମାସ୍‌

ତେଲ୍‌ ଆଭିଭ୍‌/ଗାଜା ସିଟି,୨୧ା୧୦: ଇସ୍ରାଏଲ-ଗାଜା ଯୁଦ୍ଧର ଚତୁର୍ଦ୍ଦଶ ଦିନରେ ଶୁକ୍ରବାର ହମାସ୍‌ ପକ୍ଷରୁ ୨୦୦ ପଣବନ୍ଦୀଙ୍କ ମଧ୍ୟରୁ ୨ ଜଣଙ୍କୁ ମୁକ୍ତ କରାଯାଇଛି। ଏନେଇ ସଙ୍ଗଠନର ମୁଖପାତ୍ର ଗାଜି ହମାଦ୍‌ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାନବିକ ଦୃଷ୍ଟିକୋଣରୁ ଜଣେ ଆମେରିକୀୟ ମହିଳା ଓ ତାଙ୍କ ଝିଅଙ୍କୁ ଛାଡ଼ିଦେଇଛୁ। ଏହି ମୁକ୍ତି ପାଇଁ କାତାର ମଧ୍ୟସ୍ଥତା କରିଥିଲା। ଅନ୍ୟପକ୍ଷେ ଇଜିପ୍ଟ, ତୁର୍କୀ, ଇସ୍ତାନବୁଲ, ଆଫଗାନିସ୍ତାନ, ଇଣ୍ଡୋନେସିଆ ଓ ମାଲେସିଆ ସମେତ ମୁସଲମାନ ବହୁଳ ରାଷ୍ଟ୍ରଗୁଡ଼ିକରେ ଇସ୍ରାଏଲ ବିରୋଧୀ ବିକ୍ଷୋଭ ବଢ଼ିବାରେ ଲାଗିଛି। ବିକ୍ଷୋଭକାରୀମାନେ ଗାଜା ଷ୍ଟ୍ରିପ୍‌ରେ ପାଲେଷ୍ଟିନୀୟଙ୍କୁ ସମର୍ଥନ ଜଣାଇ ଇସ୍ରାଏଲର ‘ସମ୍ପୂର୍ଣ୍ଣ କଟକଣା’ ଏବଂ ଏୟାରଷ୍ଟ୍ରାଇକ୍‌କୁ କଡ଼ା ବିରୋଧ କରିଛନ୍ତି। ଇତିମଧ୍ୟରେ ଗାଜାରେ ମୃତ୍ୟୁସଂଖ୍ୟା ୪,୦୦୦ ଟପିଛି। ଅକ୍ଟୋବର ୭ରୁ ଇସ୍ରାଏଲ ପକ୍ଷରୁ କରାଯାଉଥିବା ଏୟାରଷ୍ଟ୍ରାଇକ୍‌ରେ ଅନୂ୍ୟନ ୪,୧୩୭ ପାଲେଷ୍ଟିନୀୟ ନିହତ ହୋଇଥିବାବେଳେ ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ୧୪୦୦ରୁ ଊର୍ଦ୍ଧ୍ୱ ଇସ୍ରାଏଲୀଙ୍କ ଜୀବନ ଯାଇଛି। ଇସ୍ରାଏଲର ଆକ୍ରମଣ ଯୋଗୁ ଲେବାନନ୍‌ ସୀମାନ୍ତ ଅଞ୍ଚଳରୁ ୪୨୦୦ ଜଣ ବିସ୍ଥାପିତ ହୋଇ ଅନ୍ୟତ୍ର ପଳାୟନ କରିଛନ୍ତି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଶୁକ୍ରବାର ଇଜିପ୍ଟ ଗସ୍ତ କରି ସେଠାର ରାଷ୍ଟ୍ରପତି ଅବ୍‌ଦେଲ ଫତହ ଏଲ୍‌-ସିସିଙ୍କ ସହ ଇସ୍ରାଏଲ୍‌-ଗାଜା ସଂଘର୍ଷରୁ ଉପୁଜିଥିବା ସଙ୍କଟ ଉପରେ ଆଲୋଚନା କରିଛନ୍ତି।

Share