୨ କିମି ଚାଲି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଉଛନ୍ତି ଶିଶୁ

ଜମନକିରା, ୬।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ କଟଙ୍ଗପାଣି ପଞ୍ଚାୟତ ଫୁଲକୁସମ ପାଇଁ ଆସିଥିବା ଅଙ୍ଗନଓ୍ବାଡି କେନ୍ଦ୍ରଟି ଅନ୍ୟ ସ୍ଥାନରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଶିଶୁମାନଙ୍କୁ ୨ କିଲୋମିଟର ରାସ୍ତା ଯିବାକୁ ପଡ଼ୁଥିବା ବେଳେ ସେମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଏ ସଂକ୍ରାନ୍ତରେ ଜମନକିରା ସିଡିପିଓ ଜୟଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରୁ ସେ ଟ୍ରେନିଂ ସମୟରେ ଅନ୍ୟ ସ୍ଥାନରେ ରହିଥିବା ବେଳେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ତାଙ୍କୁ ନ ଜଣାଇ ଘର ନିର୍ମାଣ କରାଯାଇଥିବା କହିଛନ୍ତି। ଏ ନେଇ ସେ ଉପ-ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ କହିଛନ୍ତି।
ସୂଚନାଯୋଗ୍ୟ, କଟଙ୍ଗପାଣି ପଞ୍ଚାୟତ ଫୁଲକୁସମ ପ୍ରାଥମିକ ସ୍କୁଲ ନିକଟରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନଙ୍କୁ ପଢ଼ାଯାଉଥିଲା। ଉକ୍ତ ଘର ନଷ୍ଟ ହେବାପରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଫୁଲକୁସମକୁ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ବ୍ୟୟବରାଦ କରାଯାଇଥିବା ବେଳେ ଘର ସେହିଠାରେ ନିର୍ମାଣ କରା ନ ଯାଇ କଲାପାଟ ଗଁାରେ ନିର୍ମାଣ କରାଯାଇଥିଲା।