୨ ଗୋରୁ ବୋଝେଇ କଣ୍ଟେନର ଅଟକ: ୮ ଗିରଫ

ରେମୁଣା,୧୨ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଟୋଲ୍‌ଗେଟ୍‌ ଦେଇ ୭ ଗୋରୁବୋଝେଇ କଣ୍ଟେନର ଯାଉଥିବା ବେଳେ ଆର୍‌ଏସ୍‌ଏସ୍‌ର କେତେଜଣ ଯୁବକ ତାଙ୍କୁ ପିଛା କରି ଶେରଗଡ଼ ଛକ ବିସିଇଟି କଲେଜ ନିକଟ ଜାତୀୟ ରାଜପଥରେ ଅଟକାଇଥିଲେ। ସେଥିରୁ ୫ କଣ୍ଟେନର ଫେରାର ହୋଇଯାଇଥିବା ବେଳେ ୨ କଣ୍ଟେନରକୁ ସେମାନେ ଅଟକ ରଖି ଥାନାକୁ ଖବର ଦେଇଥିଲେ। ଆନୁମାନିକ ୨୦୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଥିବା ବେଳେ ଡ୍ରାଇଭରଙ୍କ ସମେତ ୮ଜଣଙ୍କୁ ଗିରଫ କରାଯାଇଛି। ୨ କଣ୍ଟେନର, ଏକ ବୋଲେରୋ ଜବତ ହୋଇଛି। ତେବେ ଗୋଟିଏ କଣ୍ଟେନରର ଗୋରୁଙ୍କୁ ଘଟଣାସ୍ଥଳରେ ଛାଡ଼ି ଦିଆଯାଇଥିବା ବେଳେ ଅନ୍ୟ ଏକ କଣ୍ଟେନର ଗୋରୁଙ୍କୁ ଗୋଶାଳାକୁ ନିଆଯାଇଛି। ଏ ନେଇ ଥାନାରେ କେସ୍‌ ନଂ. ୩୨୧/୧୯ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।