୨ ଦିନରେ ଉହାନରେ ୨୫ ଲକ୍ଷ ଲୋକଙ୍କ କରୋନା ପରୀକ୍ଷା

ବେଜିଂ,୨୪।୫: କରୋନା ସଂକ୍ରମଣର ପ୍ରଭାବ ଚାଇନାରେ ଆଉ ନାହିଁ। ଏଠାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବେ ଶୂନରେ ରହିଛି। ତେବେ କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଉହାନ ସହରରେ ଲୋକଙ୍କ ପରୀକ୍ଷା ଗତ ଦୁଇଦିନ ଧରି ଜାରି ରହିଛି। ଶୁକ୍ରବାରଠାରୁ ପରୀକ୍ଷା ଆରମ୍ଭ ହୋଇଛି। ୨ ଦିନ ମଧ୍ୟରେ ଏଠାରେ ୨୫ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ପ୍ରଥମ ଦିନ ଏଠାରେ ୧୪ ଲକ୍ଷ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେହିପରି ଶନିବାର ୧୧ ଲକ୍ଷ ଲୋକଙ୍କ ନମୁନାର ଆର୍‌ଏନ୍‌ଏ ପରୀକ୍ଷା କରାଯାଇଥିବା ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏକ କୋଟି ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରର ସମସ୍ତ ଲୋକଙ୍କ ନମୁନା ପରୀକ୍ଷା ୧୦ ଦିନରେ ସମ୍ପୂର୍ଣ୍ଣ କରାଯିବ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

Share