୨ ଦିନରେ ୧୩ରୁ ଅଧିକ ବିଲେଇ ମୃତ: କରୋନା ସଂକ୍ରମଣ ନେଇ ଲୋକେ ଆତଙ୍କିତ

ଓ୍ବାୟାନାଡ଼,୨୧।୪: କେରଳରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ସ୍ଥାନୀୟ ମାନାନ୍ଥାବାଡ଼େ ଏବଂ ମେପାଡ୍ଡି ଅଞ୍ଚଳରେ ବିଲେଇ ମୃତ୍ୟୁକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଗତ ୨ ଦିନ ମଧ୍ୟରେ ଏଠାରେ ୧୩ରୁ ଅଧିକ ବିଲେଇଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଗୃହପାଳିତ ପ୍ରାଣୀଙ୍କୁ କରୋନା ସଂକ୍ରମଣ ହୋଇଥିବା ଲୋକେ ଅନୁମାନ କରିଥିଲେ। ଏନେଇ ସ୍ଥାନୀୟ ସ୍ବାସ୍ଥ୍ୟ ଏବଂ ଭେଟେରେନାରୀ ବିଭାଗକୁ ସୂଚିତ କରାଯାଇଥିଲା। ଭେଟେରିନାରୀ ବିଭାଗ କର୍ମଚାରୀ ମୃତ ବିଲେଇଗୁଡ଼ିକୁ ବ୍ୟବଚ୍ଛେଦ କରିବା ପରେ ଜଣାପଡ଼ିଥିଲା ଯେ, ସେମାନଙ୍କର ମୃତ୍ୟୁ ଫିଲାଇନ୍‌ ପାରଭୋ ଭୂତାଣୁ ଯୋଗୁ ହୋଇଛି। ଏହି ଭୂତାଣୁ ମଣିଷଠାରେ ସଂକ୍ରମଣ ହୋଇପାରେ ନାହିଁ ବୋଲି ଭେଟେରିନାରୀ ବିଭାଗ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାନାନ୍ଥାବାଡ଼େ ଏବଂ ମେପାଡ୍ଡି ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି।