Categories: ମେଟ୍ରୋ

୨ ଦିନରେ ୨ ହଜାର ହୋମ ଡେଲିଭରି କଲେ ମଲ୍‌

ଭୁବନେଶ୍ୱର,୨୯ା୩(ବ୍ୟୁରୋ): ସାରା ଦେଶରେ ଲକଡାଉନ ହେବା ପରେ ଲୋକଙ୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ନେଇ ବିଭିନ୍ନ ମଲ, ଦୋକାନରେ ଲମ୍ବାଲାଇନ ଓ ଭିଡ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଭୁବନେଶ୍ୱରର ୨୮ ମଲ ଓ ଦୋକାନଗୁଡ଼ିକୁ ହୋମ ଡେଲିଭରି ଅଭିଯାନ ଆରମ୍ଭ କରିଛି। ସାମାଜିିକ ଦୂରତା ଏବଂ ଭିଡ଼ କମାଇବାକୁ ନେଇ ବିଏମ୍‌ସିର ଏହି ପଦକ୍ଷେପକୁ ଜନସାଧାରଣ ପସନ୍ଦ କରିଛନ୍ତି। ଏହି ଅଭିଯାନର ଆରମ୍ଭ ହେବାର ଗତ ୨ ଦିନ ମଧ୍ୟରେ ମଲ ଓ ଷ୍ଟୋରମାନେ ୨ହଜାରରୁ ଊର୍ଦ୍ଧ୍ୱ ହୋମ ଡେଲିଭରି କରିଥିବା ଜଣାପଡ଼ିଛି। ହ୍ବାଟ୍‌ସ ଆପ ମାଧ୍ୟମରେ ଆବଶ୍ୟକୀୟ ସାମଗ୍ରୀର ପରିମାଣ ଲେଖି ମଲ୍‌ କର୍ତ୍ତୃପକ୍ଷଙ୍କୁ ମେସେଜ କରିଲେ ନିଜ ଘରେ ଉକ୍ତ ସାମଗ୍ରୀକୁ ପାଇପାରିଛନ୍ତି। ୨୮ ମଲ ଓ ଷ୍ଟୋର ମଧ୍ୟରୁ ସିମ୍ପୋନୀ ମଲ୍‌ ସବୁଠୁ ଅଧିକ ହୋମ ଡେଲିଭରି କରିଥିବା ଜଣାପଡ଼ିଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ଏସିଏଲ୍‌)ର ଜେନେରାଲ୍‌ ମ୍ୟାନେଜର (ପ୍ରଶାସନିକ) କମଲଜିତ୍‌ ଦାସ କହିଛନ୍ତି, ଆରମ୍ଭ କରାଯାଇଥିବା ହୋମ ଡେଲିଭରି ସେବା ଲୋକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇଛି। କେନ୍ଦ୍ର ସରକାରଙ୍କ ଲକ୍‌ ଡାଉନ୍‌ ନିୟମକୁ ଲୋକମାନେ ସମ୍ମାନ ଜଣାଇ ଘରେ ରହିବା ସହ ନିଜକୁ ସଂକ୍ରମିତ ହେବାରୁ ବଞ୍ଚାଉଛନ୍ତି। ସେଥିପାଇଁ ୨ଦିନ ମଧ୍ୟରେ ଅଭିଯାନ ଅଧିକ ସଫଳ ହୋଇପାରିଛି। ଅପରପକ୍ଷେ ମଲ୍‌ ଓ ଷ୍ଟୋର କର୍ତ୍ତୃପକ୍ଷ ହ୍ବାଟସ୍‌ ଆପରେ ମେସେଜ୍‌ ଦେଲେ ସିନ୍‌ ହେଉ ନ ଥିବା ଅଭିଯୋଗ ହୋଇଥିଲା। ଏପରି କି କେତେଜଣ ଲୋକ ସୋସିଆଲ ମିଡିଆରେ ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ହେଲେ ଏକାସଙ୍ଗେ ଅଧିକାଂଶ ଲୋକଙ୍କ ମେସେଜ୍‌ ଦେଉଥିରୁ ସମସ୍ତ ମେସେଜ୍‌ ଦେଖି ହୋଇ ପାରୁନାହିଁ। ତେଣୁ ଯଦି ଥରେ ଦେଖି ହୋଇନାହିଁ ଆଉ ଥରେ ମେସେଜ୍‌ ପଠାଇବା ପାଇଁ ମଲ୍‌ ଓ ଷ୍ଟୋର କର୍ତ୍ତୃପକ୍ଷ କହିଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଲକ୍‌ ଡାଉନ୍‌କୁ ଲକ୍ଷ୍ୟରେ ରଖି ମଲ୍‌ ଓ ବଡ ଷ୍ଟୋର ମାଲିକଙ୍କ ସହ ହୋମ ଡେଲିଭରି କରିବା ପାଇଁ ବିଏମ୍‌ସି ଗତ ୨୬ ତାରିଖରେ ଏକ ଚୁକ୍ତି ସ୍ବାକ୍ଷରିତ କରିଥିଲା। ସକାଳ ୭ରୁ ୧୧ ଯାଏ ମଲ୍‌ ଓ ଷ୍ଟୋର କର୍ତ୍ତୃପକ୍ଷ ହୋମ ଡେଲିଭରି କରିବା ପାଇଁ ଅନୁମତି ମିଳିଥିଲା।

Share