Categories: ମେଟ୍ରୋ

୨ ଦିନରେ ୩ ହଜାର ହିତାଧିକାରୀଙ୍କୁ ମିଳିଲା ୪ ମାସର ଭତ୍ତା

ଭୁବନେଶ୍ୱର,୩୧ା୩(ବ୍ୟୁରୋ): କରୋନା ଭୂତାଣୁ (କୋଭିଡ୍‌-୧୯)ର ସଂକ୍ରମଣକୁ ଏଡ଼ାଇବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି। ଏଥିଯୋଗୁ ସବୁ ବନ୍ଦ ହେବା ଯୋଗୁ ଲୋକେ ଖାଦ୍ୟପେୟର ଅଭାବ ଦେଖାଯାଇଥିଲା। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ଗରିବଙ୍କୁ ୪ମାସର ଆଗୁଆ ଭତ୍ତ ଦେବା ପାଇଁ ଘୋଷଣା କରିଥିଲେ। ସରକାରଙ୍କ ଏହି ନିର୍ଦ୍ଦେଶକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଳନ କରି ବିଏମ୍‌ସିର ୩ ଜୋନ୍‌ରେ ସେମାବାରଠାରୁ ଆଗୁଆ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୩ ଜୋନର ଜୋନାଲ ଡେପୁଟି କମିଶନରଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର ସୁଦ୍ଧା ଚିହ୍ନଟ ହୋଇଥିବା ୩ହଜାର ହିତାଧିକାରୀଙ୍କୁ ୪ମାସର ଆଗୁଆ ଭତ୍ତା ବଣ୍ଟନ ହୋଇଛି। ଏହା ଆସନ୍ତା ଏପ୍ରିଲ୍‌ ୧୨ ତାରିଖ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟ ଶେଷ ହେବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ସୂଚନାଯୋଗ୍ୟ, ସରକାରଙ୍କ ନିର୍ଦ୍ଦେଶ ପରେ ବିଏମ୍‌ସି ପକ୍ଷରୁ ସବୁ ୱାର୍ଡରେ ଗୋଟିଏ ଦିନ ଲେଖାଏ ଭତ୍ତା ବଣ୍ଟନ କରାଯିବାକୁ ସ୍ଥିର କରାଯାଇଥିବାବେଳେ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇଛି। ଭତ୍ତା ବଣ୍ଟନ ସମୟରେ କିପରି ହିତାଧିକାରୀମାନେ ସାମାଜିକ ଦୂରତା ବଜାୟ ରଖିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକୁ ଯଥାଶୀଘ୍ର ସାରିବା ପାଇଁ କମିଶନର ଚୌଧାରୀ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ୩ ଜୋନରେ ୩୧ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଅଛନ୍ତି। ସୋମବାର ପ୍ରଥମ ଦିନରେ ଉତ୍ତର ଜୋନରେ ପାଖାପାଖି ୫୦୦, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଜୋନରେ ୫୦୦ରୁ ୭୦୦ ହିତାଧିକାରୀ ଭତ୍ତା ପାଇଥିବା ବେଳେ ମଙ୍ଗଳବାର ମଧ୍ୟ ସମାନ ସଂଖ୍ୟା ରହିଥିବା ୩ ଜୋନର ଜୋନାଲ ଡେପୁଟି କମିଶନରଙ୍କ ନିକଟରୁ ସୂଚନା ମିଳିଛି।

Share