Categories: ବାଣିଜ୍ୟ

୨ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ନୂଆଦିଲ୍ଲୀ,୨୪-୯: ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଦେଶର ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀ ସଂଘ ପକ୍ଷରୁ ଚଳିତ ମାସ ୨୬ ଏବଂ ୨୭ରେ ଦିଆଯାଇଥିବା ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେଶନ (ଏଆଇବିଓସି) ସମେତ ୪ ପ୍ରମୁଖ ବ୍ୟାଙ୍କ ସଂଘ ଏ ପ୍ରସଙ୍ଗକୁ ନେଇ ନେଇ କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାରଙ୍କୁ ସୋମବାର ଭେଟିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରଖିଥିବା ଜଣା ପଡିଛି।
ଏଆଇବିଓସି ଅଧ୍ୟକ୍ଷ ସୁନୀଲ କୁମାର, ସଭାପତି ଦେବାଶିଷ ଘୋଷ, ମହାସଚିବ ସୌମ୍ୟ ଘୋଷ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ଦୁଇ ଦିନ ବ୍ୟାପି ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ପ୍ରସଙ୍ଗ ବୈଠକରେ ସ୍ଥାନିତ ହୋଇଥିଲା। ବ୍ୟାଙ୍କ ମିଶ୍ରଣ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ସହ ବ୍ୟାଙ୍କଗୁଡିକ ଯେଭଳି ସେମାନଙ୍କ ସ୍ବତନ୍ତ୍ରତା ବଜାୟ ରଖିବେ ସେ ଦିଗକୁ ଧ୍ୟାନରେ ରଖାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଏ ନେଇ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ବୈଠକରେ କର୍ମଚାରୀଙ୍କ ବେତନ ସଂଶୋଧନ, ୫ ଦିନିଆ କାର୍ଯ୍ୟ ଦିବସ, ଟଙ୍କା ନେଣଦେଣ ସମୟରେ ହ୍ରାସ, ଅବସର ସମୟ, କ୍ରସ ସେଲିଂ ଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରାଯିବ ବୋଲି ବୈଠକ ପରେ ଅର୍ଥ ସଚିବ କୁମାର କହିଛନ୍ତି। ବୈଠକରେ ଆଲୋଚନା ହୋଇଥିବା ବିଭିନ୍ନ ପ୍ରସଙ୍ଗରେ ସରକାର ସହମତି ପ୍ରକାଶ କରିଥିବାରୁ ସାମୟିକ ସମୟ ଲାଗି ଧର୍ମଘଟ ସ୍ଥଗିତ ରଖାଯାଇଥିବା ସଂଘଗୁଡିକ ପକ୍ଷରୁ କୁହାଯାଇଛି।
ସୂଚନା ଯୋଗ୍ୟ ୨୬ ଏବଂ ୨୭ ତାରିଖରେ ଧର୍ମଘଟ, ୨୮ ସେପ୍ଟେମ୍ବର ଚତୁର୍ଥ ଶନିବାର, ୨୯ ତାରିଖ ରବିବାର ଲାଗି ବ୍ୟାଙ୍କ ବନ୍ଦ ହୋଇଥାନ୍ତା। ୩୦ ସେପ୍ଟେମ୍ବରରେ ବ୍ୟାଙ୍କ ଖୋଲିବାକୁ ଥିବା ବେଳେ ବର୍ଷର ୬ ମାସ ସମୟ ଶେଷ ଯୋଗୁ ନେଣ ଦେଣ ହେବ ନାହିଁ। ମୋଟା ମୋଟି ଭାବେ କହିବାକୁ ମୋଟ ୫ ଦିନ ବ୍ୟାଙ୍କ କାରବାର ବନ୍ଦ ରହିଥାନ୍ତା। ସଂଘଗୁଡିକର ଏଭଳି ନିଷ୍ପତ୍ତି ଯୋଗୁ ଲୋକଙ୍କୁ ଆଶ୍ୱସ୍ତି ମିଳିଥିବା ଜଣାପଡିଛି।

Share