୨ ଦୁର୍ବୃତ୍ତଙ୍କୁ କାବୁକରି ପୋଲିସ ଜିମା ଦେଲେ ଲୋକେ:ପଲସର, ଦେଶୀ ବନ୍ଧୁକ ଜବତ

ଧର୍ମଶାଳା,୧୫।୮(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବୁଦ୍ଧ ଛକଠାରେ ବୁଧବାର ୨ଜଣ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ସେମାନଙ୍କଠାରୁ ଏକ ପଲସର ଓ ଦେଶୀ ବନ୍ଧୁକ ଜବତ କରିଛି। ତେବେ ଯୁବକଦ୍ୱୟ ସେମାନଙ୍କ ପରିଚୟ ଠିକ ଭାବେ କହୁ ନ ଥିବା ବେଳେ ରାହାଜାନି କିମ୍ବା ଡକାୟତି ଉଦ୍ଦେଶ୍ୟରେ ଏଠାକୁ ଆସିଥିବା ପୋଲିସ ଅନୁମାନ କରୁଛି। ଏ ନେଇ କୌଣସି ମାମଲା ରୁଜୁ ହୋଇ ନ ଥିବାବେଳେ ପୋଲିସ ୨ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ପ୍ରକାଶ ଯେ, ଏହି ଦୁର୍ବୃତ୍ତ ଦ୍ୱୟ ପଲସର ବାଇକ୍‌ରେ ଆସୁଥିବାବେଳେ ଜାରକା ବୁଦ୍ଧ ଛକଠାରେ ଅପରାହ୍ନ ପ୍ରାୟ ୪ଟାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ସାଇଡ୍‌ ମାରିଥିଲେ। ଏହାକୁ ନେଇ ସେଠାରେ ମାରପିଟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଲୋକମାନେ ଦୁର୍ବୃତ୍ତ ଦ୍ୱୟଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ ା ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ପଲସର ଜବତ କରିବା ସହ ୨ ଦୁର୍ବୃତ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରିବା ସମୟରେ ଜଣଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଥିଲା। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।