୨ ନକଲି ପରୀକ୍ଷାର୍ଥୀ ଗିରଫ: ୧୪ ଜଣ ଏକ୍ସପେଲ୍‌

ନୟାଗଡ଼ ଅଫିସ/ରଣପୁର,୨୭ା୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକର ଏକ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବୁଧବାର ୨ ନକଲି ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ଏହାସହ ୧୪ ଜଣ ଏକ୍ସପେଲ୍‌ ହୋଇଛନ୍ତି। ଜିଲା ଶିକ୍ଷାଧିକାରୀ (ଡିଇଓ) ଲକ୍ଷ୍ମୀଧର ବେହେରାଙ୍କ ସୂଚନା ଅନୁସାରେ ସ୍ଥାନୀୟ ଏକ ଉଚ୍ଚ ବିଦ୍ୟାଳୟର ୩୩ ଛାତ୍ରୀଛାତ୍ରଙ୍କ ସେଣ୍ଟର ଉକ୍ତ ବିଦ୍ୟାଳୟରେ ପଡିଛି। ଏଥିରୁ ୧୩ ଜଣ ପ୍ରଥମରୁ ଅନୁପସ୍ଥିତ ଥିଲେ। ବୁଧବାର ଗଣିତ ପରୀକ୍ଷା ଥିଲା। ଉକ୍ତ କେନ୍ଦ୍ରକୁ ମୁଁ ଓ ବ୍ଲକ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ସାହୁ ବୁଧବାର ଯାଇଥିଲୁ। ଯାଞ୍ଚ ବେଳେ ୧୪ ପରୀକ୍ଷାର୍ଥୀଙ୍କ କାଗଜପତ୍ର ଠିକ୍‌ ନ ଥିଲା। କାହାର ଫଟୋ ଠିକ୍‌ ନ ଥିବାବେଳେ ଆଉ କେତେଜଣଙ୍କର ଦସ୍ତଖତ ମ୍ୟାଚ କରୁ ନ ଥିଲା। କେତେଜଣ ମାଟ୍ରିକ ଫେଲ୍‌ ପରୀକ୍ଷାର୍ଥୀ ମଧ୍ୟ ଥିଲେ। ଏଣୁ ସେମାନଙ୍କୁ ଏକ୍ସପେଲ୍‌ କରାଯାଇଛି। ସେହିପରି ୨ଜଣ ନକଲି ପରୀକ୍ଷାର୍ଥୀଙ୍କୁ ରଣପୁର ଥାନାର ସୁନାଖଳା ଫାଣ୍ଡି ପୋଲିସ ଗିରଫ କରିଛି। ସେମାନେ ଯୁକ୍ତ ୨ ଶ୍ରେଣୀରେ ପଢ଼ୁଥିବା ୨ ଛାତ୍ରୀ ବୋଲି ପୋଲିସ କହିଛି।

Share