୨ ନୂଆ ବ୍ଲକର ୫ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭଦ୍ରକ ଅଫିସ,୨୫ା୪: ଭଦ୍ରକ ଜିଲାରେ ଶୁକ୍ରବାର ଗୋଟିଏ ଦିନରେ ୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବାସୁଦେବପୁରରୁ ଗୋଟିଏ, ତିହିଡିର ୨ ଓ ଧାମନଗରରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଜିଲାରେ ଏପର୍ଯ୍ୟନ୍ତ ମୋଟ ରୋଗୀଙ୍କ ସଂଖ୍ୟା ୧୬କୁ ଛୁଇଁଛି। ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ୨ଟି ନୂଆ ବ୍ଲକ ତିହିଡ଼ି ଓ ଧାମନଗରର ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଶୁକ୍ରବାର ଅପରାହ୍ନରୁ ଲାଗିି ରହିଥିବା ବର୍ଷା କାରଣରୁ ଏହି ପଞ୍ଚାୟତଗୁଡ଼ିକର ଯୋଗାଯୋଗ ରାସ୍ତା ସିଲ୍‌ କରାଯାଇପାରି ନ ଥିଲା। ଶନିବାର ସକାଳୁ ଏହି କଣ୍ଟେନମେଣ୍ଟ ଜୋନର ପ୍ରବେଶ ପଥଗଡ଼ିକୁୁ ପୋଲିସ ଓ ବ୍ଲକ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଏଥିସହ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ସୂଚନା ମିଳିଛି। ତିହିଡ଼ି ବ୍ଲକର ବାମନବିନ୍ଧା ପଞ୍ଚାୟତର କାନପୁର, ସନ୍ଦକପୁର, ବାମନବିନ୍ଧା ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ କାଁପଡ଼ା ପଞ୍ଚାୟତର କାଁପ ଗାଁ, କାଁପଡାବିନ୍ଧା ତଳକାଁପଡା ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସେହିଭଳି ଧାମନଗର ବ୍ଲକର କଲ୍ୟାଣୀ ପଞ୍ଚାୟତର ୨ଟି ଗାଁ, ଖଡ଼ପଡ଼ା ପଞ୍ଚାୟତର ୬ଟି ଗାଁ, ଆନନ୍ଦପୁର ପଞ୍ଚାୟତର ଉତେଇପୁର ଗାଁକୁ ସିଲ୍‌ କରାଯାଇ ଯାତାୟାତରେ କଟକଣା ଜାରି କରାଯାଇଛି। ଏହି ୨ ବ୍ଲକର କଣ୍ଟେନମେଣ୍ଟ ଜୋନ ପାଇଁ ୪ ଜଣ ନୋଡାଲ ଅଫିର୍ସଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ୨ ବ୍ଲକର ବିଡିଓଙ୍କୁ ସୁପରଭାଇଜିଂ ଦାୟିତ୍ୱ ଦିଆଯାଇଛି। ଏହି ସବୁ ଅଞ୍ଚଳର ଗ୍ରାମବାସୀଙ୍କୁ ଘରୁ ନ ବାହାରିବା ଓ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦିଓ ଜିଲାରେ ୬୦ ଘଣ୍ଟିଆ ସଟ୍‌ଡାଉନ ବଳବତ୍ତର ରହିଛି କିନ୍ତୁ ଏହି କଣ୍ଟେନମେଣ୍ଟ ଘୋଷଣା ପରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ଅଞ୍ଚଳମାନଙ୍କରେ ସ୍କ୍ରିନିଂ କରାଯାଇ ଅଧିକରୁ ଅଧିକ ରକ୍ତ ନମୁନା ଓ କଣ୍ଟାକ୍ଟ ଟ୍ରେସିଂ କାର୍ଯ୍ୟ ଜୋରଦାର କରାଯାଉଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ରହିଛି।

Share