ନୟାଗଡ଼ ଅଫିସ,୧୯ା୧୦: ଦୁର୍ଘଟଣା ଘଟାଇଥିବା ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନାମରେ ମାମଲା ରୁଜୁ କରିବା ଏବଂ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ମାଗିବା ନୟାଗଡ଼ ଜିଲାର ଦୁଇଜଣ ପୋଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ଏସ୍ପି ଶଶିଭୂଷଣ ଶତପଥୀ ଉଭୟଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ଫତେଗଡ଼ ଥାନା ଭାପୁର ବିଟ୍ ହାଉସର ଏଏସ୍ଆଇ ଅପର୍ତ୍ତି ସାହୁ ଓ ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି କନଷ୍ଟେବଳ ଅଚ୍ୟୁତାନନ୍ଦ ପ୍ରଧାନ। ମିଳିଥିବା ସୂଚନା ଅନୁସାରେ ଏଏସ୍ଆଇ ସାହୁ ୨୦୧୫ରେ ନୟାଗଡ଼ ଟାଉନ ଥାନାରେ କାର୍ଯ୍ୟରତ ଥିବା ସମୟରେ ଏକ ମାମଲାରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନାମରେ କେସ୍ କରିଥିଲେ। ଏ ନେଇ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ ହୋଇଥିଲା। ସେହିଭଳି କନଷ୍ଟେବଳ ପ୍ରଧାନ ୩ଦିନ ତଳେ ଫାଣ୍ଡିକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କଠାରୁ କିଛି ଟଙ୍କା ମାଗିଥିଲେ। ଏ ନେଇ ବ୍ୟକ୍ତି ଜଣକ ମୋ ସରକାରରେ ଅଭିଯୋଗ କରିଥିଲେ। ୫-ଟି ପ୍ରଭାବରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି।