୨ ବର୍ଷରେ କାର୍ଯ୍ୟକ୍ଷମ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ: ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ ଅଫିସ, ୩୦ା୧୦: ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଜମିକୁ ନେଇ ବିଭିନ୍ନ ସମୟରେ ସମସ୍ୟା ଉପୁଜିବାରୁ କାମ ବିଳମ୍ବ ହେଲା। ଏଭଳି ଭାବେ ଦିନ ଗଡ଼ିିଚାଲିଥିବା ବେଳେ ବୁଧବାର ମେଡିକାଲ କଲେଜର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ସର୍କିଟ ହାଉସ୍‌ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବର୍ତ୍ତମାନ ମେଡିକାଲ କଲେଜର କ’ଣ କାମ ଚାଲିଛି, ଆଉ କେତେ କାମ ବାକି ଅଛି ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଛି। ବିଦ୍ୟୁତ୍‌, ପାନୀୟଜଳ ଆଦି ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ସେସୁ ପକ୍ଷରୁ ୧୩୨କେଭି ଲାଇନ ଯୋଗେ ବିଦ୍ୟୁତ୍‌ ସଂଯୋଗ ନେଇ ଆଲୋଚନା ହୋଇଥିଲା। ପୂର୍ବରୁ କଲେଜ କୋଠା ସମ୍ପୂର୍ଣ୍ଣ ଭାବେ ତିଆରି ସରିଥିବାବେଳେ ମେଡିକାଲ କୋଠା ନିର୍ମାଣ ଲାଗି ଆସନ୍ତା ୨ମାସ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଶେଷ ହେବ। ସମସ୍ତ କାମ ୨ବର୍ଷ ମଧ୍ୟରେ ସାରିବା ଲାଗି ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ବିଭାଗୀୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ଜିଲାପାଳ ବଲୱନ୍ତ ସିଂ, ରାସ୍ତା ଓ କୋଠାବାଡ଼ି ଅଧୀକ୍ଷଣ ଯନ୍ତ୍ରୀ ପି.କେ. ପାତ୍ର, ଉପଜିଲାପାଳ ଭବତାରଣ ସାହୁ, ଏଲ୍‌ ଆଣ୍ଡ ଟିର ଅରବିନ୍ଦ ମଜୁମଦାର ଓ ନବୀନ କୁମାର, ପୁରୀ କୋଠାବାଡ଼ିି ନିର୍ବାହୀଯନ୍ତ୍ରୀ ପି. ସାମନ୍ତରାୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପରେ ମନ୍ତ୍ରୀ, ସଚିବ ଏବଂ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖୁବ୍‌ଶୀଘ୍ର ପୁରୀରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଜିଲା ପ୍ରଶାସନ ପକ୍ଷରୁ ବୁଧବାର ସ୍ବାସ୍ଥ୍ୟ ବିଭାଗକୁ ମେଡିକାଲ କଲେଜ ଜମିର ପଟ୍ଟା ହସ୍ତାନ୍ତର କରାଯାଇଛି। ଦୁଇବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୧ ଶେଷ କିମ୍ବା ୨୦୨୨ ଆରମ୍ଭରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରାଯିବ। ଏହାଦ୍ୱାରା ପୁରୀବାସୀଙ୍କ ଦୀର୍ଘବର୍ଷର ଦାବି ପୂରଣ ହୋଇପାରିବ।

Share