୨ ବର୍ଷ ପରେ ବି ଚାଷୀଙ୍କୁ ମିଳିନି ଗଭୀର ନଳକୂପ

ଚମ୍ପୁଆ, ୫ା୧୨(ଡି.ଏନ.ଏ)- ଚମ୍ପୁଆ ଉଠାଜଳସେଚନ ବିଭାଗରେ ଦୁଇ ବର୍ଷ ତଳୁ ଗଭୀର ନଳକୂପ ପାଇଁ ଆବେଦନ କରିଥିବା ଚାଷୀମାନେ ବର୍ତ୍ତମାନ ସୁଦ୍ଧା ନଳକୂପ ପାଇ ନ ଥିବା ଜଣାଯାଇଛି। ଫଳରେ ଚାଷ ଓ ଚାଷୀ ଉଭୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଚମ୍ପୁଆ ଉଠା ଜଳସେଚନ ବିଭାଗରେ ଚମ୍ପୁଆ ଓ ଝୁମ୍ପୁରା ବ୍ଲକର ୫୪୪ ଗୋଟି ଗଭୀର ନଳକୂପ ଖନନ ପାଇଁ ଚାଷୀମାନେ ଆବେଦନ କରିଥିଲେ। ଆବେଦନ ବାବଦକୁ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ୧୦ ହଜାର ଟଙ୍କା ଓ ସାଧାରଣ ଚାଷୀଙ୍କ ପାଇଁ ୨୦ ହଜାର ଟଙ୍କାର ଫିକ୍ସ ଡିପୋଜିଟ ଏକ ବ୍ୟାଙ୍କ ଜରିଆରେ ମଗାଯାଇଥିଲା। ଚାଷୀମାନେ ଆବଶ୍ୟକ କାଗଜ ପତ୍ର ସହ ଏଥିପାଇଁ ଆବଦେନ କରିଥିଲେ। ମାତ୍ର ଦୁଇ ବର୍ଷ ହେବ ଆବେଦନ କରିଥିଲେ ମଧ୍ୟ ନଳକୂପ କେବେ ଖୋଳାଯିବ ତାହା ଏବେ ଚାଷୀକୁ ଚିନ୍ତାଗ୍ରସ୍ତ କରିପକେଇଲାଣି। ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରତ୍ୟେକ ବର୍ଷ ଏହି ନଳକୂପ ପାଇଁ ଆବେଦନ ହେଉଥିବା ବେଳେ ୨ ବର୍ଷ ହେବ ଏହାର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ନୂତନ ଭାବେ ନଳକୂପ ଖୋଳିବା ପାଇଁ ଅପେକ୍ଷା କରିଥିବା ଚାଷୀ ବାରମ୍ବାର ବିଭାଗକୁ ଆସି ନିରାଶ ହୋଇ ଫେରୁଛନ୍ତି। ଯେଉଁମାନେ ପୂର୍ବରୁ ସମ୍ପୃକ୍ତ ବ୍ୟାଙ୍କ ମାଧ୍ୟମରେ ଏଥିପାଇଁ ଫିକ୍ସ ଡିପୋଜିଟ କରି ଆବେଦନ କରିଥିଲେ ସେମାନଙ୍କର ମୂଳ ଅର୍ଥର ସୁଧ ବଢୁଥିବା ବେଳେ ଯେଉଁ ଚାଷୀମାନେ ଡିମାଣ୍ଡ ଡ୍ରାଫ ମାଧ୍ୟମରେ ଆବେଦନ କରିଥିଲେ ସେମାନଙ୍କର ମୂଳ ଅର୍ଥ ଛଡା ସୁଧ ପାଇବାର ଆଶା ମଉଳିଯାଇଛି। ଗଭୀର ନଳକୂପ ନ ହେବାରୁ ଚାଷୀ ଆଶାନୁରୂପକ ଚାଷ କରିପାରୁନଥିବା ଅଭିଯୋଗ ହେଉଛି। ଏ ନେଇ ସହକାରୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗର ସୁବାଷ ଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ଏହା ଷ୍ଟେଟ ଲେବଲ ଟେଣ୍ଡର ହେଉଛି। ମାତ୍ର ୩ ଥର ଯାକ କେହି ଟେଣ୍ଡର ପକାଇଲେ ନାହିଁ ଫଳରେ ଟେଣ୍ଡର କାର୍ଯ୍ୟ ଆରମ୍ଭ କରାଯାଇ ପାରୁନଥିଲା ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଚମ୍ପୁଆ ଅଞ୍ଚଳରେ ଅନେକ ସମୟରେ ବୋରିଙ୍ଗ ଅସଫଳ ହେଉଥିବାରୁ ଠିକାଦାରମାନେ କ୍ଷତି ଭୟରେ ଟେଣ୍ଡର ପକାଉନାହାନ୍ତି। ମାତ୍ର ଏଥର ଠିକାଦାର ମାନଙ୍କୁ ଡକାଇ ଏକ ବୈଠକ କରାଯାଇଥିଲା। ବୋଧହୁଏ ଅମଳ ପରେ ପୁଣି କାର୍ଯ୍ୟ ଆରମ୍ଭ କରାଯିବ। ପୂର୍ବରୁ କାର୍ଯ୍ୟ କରୁଥିବା ଏକ ଠିକାଦାର ସଂସ୍ଥା ଏହି କାମ ପାଇଁ ରାଜି ହୋଇଥିବା ଜଣାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।