୨ ବର୍ଷ ପରେ ବି ମିଳିଲାନି ପାରିଶ୍ରମିକ

ଫିରିଙ୍ଗିଆ, ୨୪ା୧ – ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାମ କରି ଦୁଇ ବର୍ଷ ହେଲା ଶ୍ରମିକମାନେ ପାରିଶ୍ରମିକ ପାଇ ନାହାନ୍ତି। ସେମାନେ ଏ ନେଇ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କୁ ଭେଟିଛନ୍ତି। ତୁରନ୍ତ ପାରିଶ୍ରମିକ ଦେବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ନୂଆପଦର ପଞ୍ଚାୟତ ରବିଙ୍ଗିଆ ଗାଁ ପାଖ ଆଲମପଡ଼ା ଠାରୁ ଗେରୁସାହି ଗାଁ ପର୍ଯ୍ୟନ୍ତ ପ୍ରାୟ ଏକ କି.ମି. ଯାଏ ରାସ୍ତା ମାଟି କାମ ୯ ଲକ୍ଷ ୮୦ ହଜାର ଟଙ୍କାରେ ହୋଇଥିଲା। ପ୍ରାୟ ୫୦ରୁ ୬୦ ଶ୍ରମିକ ଏଥିରେ କାମ କରିଥିଲେ। ହେଲେ ଏ ଯାଏ ସେମାନଙ୍କୁ ଟଙ୍କା ମିଳିନାହିଁ। ଦୁଃଖର ବିଷୟ ଯେ, ମାଟି କାମ କଲା ବେଳେ ଗୋଡ଼ରେ କଣ୍ଟା ଲାଗିଯିବାରୁ ରବିଙ୍ଗିଆ ଗାଁର ଟଙ୍କଧର କହଁର ଆହତ ହୋଇଥିଲେ। ଅର୍ଥ ଅଭାବରୁ ନିଜ ଚିକିତ୍ସା ଠିକ୍‌ ଭାବେ କରାଇ ନ ପାରିବାରୁ ବର୍ତ୍ତମାନ ସେ ଗୋଡ଼ ହରାଇଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରି ଏ ଯାଏ ପାରିଶ୍ରମିକ ପାଇ ନ ଥିବା କୋହଭରା କଣ୍ଠରେ ଟଙ୍କଧର ପ୍ରକାଶ କରଛନ୍ତି। କେବଳ ଟଙ୍କଧର ନୁହଁନ୍ତି ଗାଁର କାମ କରିଥିବା ଶ୍ରମିକମାନେ କୁଲି ମଜୁରି କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ବିଭାଗୀୟ ଅବହେଳା ପାଇଁ କାମ କରିବାର ଦୀର୍ଘ ଦୁଇବର୍ଷ ପରେ ମଧ୍ୟ ଟଙ୍କା ମିଳି ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଶ୍ରମିକମାନଙ୍କ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ କୁଇ ସମାଜ ଅଣ୍ଟା ଭିଡିଛି। ଗ୍ରାମ ରୋଜଗାର ସେବକ ସଞ୍ଜୟ କୁମାର ଦେହୁରୀ କହିଛନ୍ତି, ଶ୍ରମିକମାନେ କାମ କରିଛନ୍ତି। ତେବେ କ’ଣ ପାଇଁ ସେମାନେ ପାରିଶ୍ରମିକ ପାଇନାହାନ୍ତି ତଦନ୍ତ ହେଲେ ଜଣାପଡିବ। ବିଡିଓ ମହନ୍ତଙ୍କୁ ପଚାରିବାରୁ ଶ୍ରମିକ ମାନେ ନିଶ୍ଚିତ ଭାବରେ ତାଙ୍କର ପାରିଶ୍ରମିକ ପାଇବେ ବୋଲି
ପ୍ରକାଶ କରିଛନ୍ତି।

Share