Categories: ବାଣିଜ୍ୟ

୨ ବର୍ଷ ବଢିଲା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୭-୬: ନୀତି ଆୟୋଗ ସିଇଓ ଭାବେ କାର୍ଯ୍ୟ କରୁଥିବା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳକୁ ସରକାର ଆଉ ୨ ବର୍ଷ ବୃଦ୍ଧି କରିଛନ୍ତି। ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। କ୍ୟାବିନେଟର ନିଯୁକ୍ତି କିମିଟି କାନ୍ତଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବୁଧବାର ମଞ୍ଜୁରୀ ଦେଇଛନ୍ତି। ୨୦୧୬ ଫେବୃୟାରୀ ୧୭ରେ ସେ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ସିଇଓ ଭାବେ ନିଯୁକ୍ତ ହୋଇଥିଲେ। ୨ ବର୍ଷ ଲାଗି ତାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୨୦୧୯ ଜୁନ ୩୦ କରାଯାଇଥିଲା। ନୀତି ଆୟୋଗ ସିଇଓ ଭାବେ ନିଯୁକ୍ତ ହେବା ଆଗରୁ ସେ ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ, ଷ୍ଟାର୍ଟ ଅପ୍‌ ଇଣ୍ଡିଆ, ଇନକ୍ରେଡିବଲ ଇଣ୍ଡିଆ ଏବଂ ଗଡ୍‌ସ ଓନ୍‌ କଣ୍ଟ୍ରି ଭଳି ପଦକ୍ଷେପ ଆଣିବା ପଛରେ ଅମିତାଭ କାନ୍ତ ଏକ ପ୍ରମୁଖ ବ୍ୟକ୍ତି। ଅତିଥି ଦେବୋ ଭବ ଏବଂ ଗେଷ୍ଟ ଇଜ ଗଡ କ୍ୟାମ୍ପେନ ମଧ୍ୟ ସେ ପରିକଳ୍ପନା କରିଥିଲେ। ଏହା ଦ୍ୱାରା ପର୍ଯ୍ୟଟନର ଉନ୍ନତିକରଣ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। କାନ୍ତ ଦିଲ୍ଲୀର ମଡର୍ନ ସ୍କୁଲରୁ ପ୍ରାଥମିକ ଶିକ୍ଷା, ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତିରେ ସ୍ନାତକ ଏବଂ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

Share