Categories: ଖେଳ

୨ ବର୍ଷ ହେଲା ଶତକ ଅପେକ୍ଷାରେ କୋହଲି

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ରନ୍‌ ମେସିନ ବିରାଟ କୋହଲି ଆଜିକୁ ଠିକ୍‌ ୨ ବର୍ଷ ତଳେ ଅନ୍ତିମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ୨୦୧୯ ନଭେମ୍ବର ୨୩ ତାରିଖ ଠାରୁ ତାଙ୍କ ବ୍ୟାଟରୁ ରନ୍‌ ବାହାରୁ ଥିଲେ ମଧ୍ୟ ସେ କୌଣସି ଫର୍ମାଟରେ ତିନି ସଂଖ୍ୟା ବିଶିଷ୍ଟ ସ୍କୋରରେ ପହଞ୍ଚି ପାରୁ ନାହାନ୍ତି।

ଏହା ଥିଲା ଭାରତୀୟ କ୍ରିକେଟ ଇତିହାସର ପ୍ରଥମ ପିଙ୍କ୍‌ ବଲ ଟେଷ୍ଟ। ସେହି ମ୍ୟାଚ୍‌ରେ ଭାରତ ଆଗରେ ପ୍ରତିଦ୍ୱନ୍ଦ୍ୱୀ ଥିଲା ବାଂଲାଦେଶ। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ୧୩୬ ରନ୍‌ର ଇନିଂସ ଖେଳିଥିଲେ । ଏଥିରେ ଥିଲା ୧୨ ଚୌକା। ଏହା ଥିଲା କୋହଲିଙ୍କ ଅନ୍ତର୍ଜାତୀୟ କ୍ୟାରିୟରରର ୭୦ତମ ଓ ଟେଷ୍ଟରେ ୨୭ତମ ଶତକ। ମ୍ୟାଚ୍‌କୁ ୩ ଦିନ ମଧ୍ୟରେ ଏକ ଇନିଂସ ଓ ୪୬ ରନ୍‌ରେ ଜିତି ନେଇଥିଲା ଭାରତ।

ତା’ ପରଠୁ ବର୍ତ୍ତମାନ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ୧୨ ଟେଷ୍ଟ, ୧୫ ଦିନିକିଆ ଏବଂ ୨୩ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ହେଲେ ତାଙ୍କ ବ୍ୟାଟରୁ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଶତକ ବାହାରି ନାହିଁ। ଅନ୍ତର୍ଜାତୀୟ ଶତକ ପାଇଁ ଏହା କୋହଲିଙ୍କ କ୍ୟାରିୟରର ସବୁଠୁ ଲମ୍ବା ଅପେକ୍ଷା। ଏହାପରେ ସୀମିତ ଓଭର କ୍ରିକେଟରେ କୋହଲି ଭଲ ହାରରେ ରନ୍‌ ସଂଗ୍ରହ କରିବା ଜାରି ରଖିଥିବା ବେଳେ ଲମ୍ବା ଫର୍ମାଟରେ ତାଙ୍କ ଆଭରେଜ ଖୁବ୍‌ ହ୍ରାସ ପାଇଛି। ୨୦୧୯ ନଭେମ୍ବର ୨୩ ତାରିଖଠାରୁ ଟେଷ୍ଟରେ କୋହଲିଙ୍କ ରନ୍‌ ସଂଗ୍ରହ ହାର ୨୬.୮୦କୁ ଖସି ଆସିଛି।

Share