ଜୟପୁର, ୨୩ା୧୦(ପି.ଟି.) : ମୁହଁରେ କଳା ବୋଳିଲେ। ଜୋତାମାଳ ପିନ୍ଧାଇ ବିଏସ୍ପି କାର୍ଯ୍ୟାଳୟ ସାମ୍ନାରେ ବୁଲାଇଲେ। କୌଣସି ଅନ୍ୟ ଦଳର ନେତାଙ୍କୁ ନୁହେଁ ବରଂ ବିଏସ୍ପି କର୍ମୀମାନେ ନିଜ ଦଳର ଦୁଇନେତାଙ୍କ ସହ ଏପରି ବ୍ୟବହାର ଦେଖାଇଛନ୍ତି। ବିଏସ୍ପି ନେତା ରାମ୍ଜୀ ଗୌରବ ଓ ପୂର୍ବତନ ପ୍ରଦେଶ ବିଏସ୍ପି ମୁଖ୍ୟ ସୀତାରାମଙ୍କ ଦୋଷହେଲା ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଟିକେଟ ବଣ୍ଟନ ବେଳେ ଦୁର୍ନୀତି ହୋଇଥିବା ଦୁହେଁ ଅଭିଯୋଗ ଆଣିଥିଲେ। କର୍ମୀମାନେ ଏମାନଙ୍କ ଉପରେ ଅସନ୍ତୁଷ୍ଟ ଥିବାବେଳେ ମଙ୍ଗଳବାର ବାଣୀ ପାର୍କସ୍ଥିତ କାର୍ଯ୍ୟାଳୟ ବାହାରେ ଦୁହଁିଙ୍କ ମୁହଁରେ କଳାକାଳି ବୋଳି ଜୋତାମାଳ ପିନ୍ଧାଇବା ସହିତ ଗଧ ପିଠିରେ ବସାଇ ପରେଡ୍ କରାଇଥିଲେ। ଏଭଳି ଘଟଣା ପରେ ବିଏସ୍ପି ମୁଖ୍ୟ ମାୟାବତୀ ରାଜସ୍ଥାନ ପ୍ରଦେଶ ବିଏସ୍ପି କମିଟିକୁ ଭାଙ୍ଗି ଦେବା ସହ କଂଗ୍ରେସ ବିରୋଧରେ ସ୍ବର ଉଠାଇଛନ୍ତି। ପ୍ରକାଶଥାଉ କି, ଗତ ସେପ୍ଟେମ୍ବରରେ ବିଏସ୍ପିର ସମସ୍ତ ୬ ବିଧାୟକ କଂଗ୍ରେସରେ ଯୋଗ ଦେଇଥିଲେ। ଦଳକୁ କମ୍ଜୋର କରିବା ପଛରେ କଂଗ୍ରେସର ହାତ ଥିବା ଅଭିଯୋଗ ହୋଇଆସୁଛି।