୨ ବିଶ୍ବବିଦ୍ୟାଳୟ ହେବ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର, ୧୭-୯(ବ୍ୟୁରୋ):ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ବବିଦ୍ୟାଳୟ ଏବଂ ଭବାନୀପାଟଣା ଏକକ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ(ଆଫିଲିଏଟେଡ୍‌) ବିଶ୍ବବିଦ୍ୟାଳୟ ହେବ। ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇଟି ବିଶ୍ୱବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଗତ ମାର୍ଚ୍ଚ ୬ରେ ଓ ବଲାଙ୍ଗୀର ରାଜେନ୍ଦ୍ର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଗତ ମାର୍ଚ୍ଚ ୨ରେ ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିଲା। କିନ୍ତୁ ଏହାକୁ ପରିବର୍ତ୍ତନ କରାଯାଇ ଉଭୟ ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ କରାଯିବ। ଏଣିକି ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାର ପ୍ରାୟ ୬୫ଟି ମହାବିଦ୍ୟାଳୟ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବା ସହ ଅନୁବନ୍ଧିତ ହୋଇଯିବ। ସେହିପରି କଳାହାଣ୍ଡି ଏବଂ ନୂଆପଡ଼ା ଜିଲାର ପ୍ରାୟ ୫୦ଟି ମହାବିଦ୍ୟାଳୟ ଭବାନୀପାଟଣା ଏକକ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେବ। ଏହି ମହାବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଅଛିି। ତେବେ ଏହି ଦୁଇଟି ଏକକ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ହେଲେ ଛାତ୍ରୀଛାତ୍ର ଓ ଅଧ୍ୟାପିକା ଅଧ୍ୟାପକମାନଙ୍କୁ ବିଶ୍ବବିଦ୍ୟାଳୟ ସହ ଯୋଗାଯୋଗ ନିମନ୍ତେ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ଏବଂ ପ୍ରଶାସନିକ ପ୍ରକ୍ରିୟାରେ ପାରଦର୍ଶିତା ଆସିପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଉପରୋକ୍ତ ଚାରି ଜିଲାର ୧୧୫ଟି ମହାବିଦ୍ୟାଳୟ ବାଦ୍‌ ପଡ଼ିଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର କାର୍ଯ୍ୟଭାର ଅନେକ ମାତ୍ରାରେ ଲାଘବ ହେବାସହ ଏହାର କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇବ। ଏହାସହ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ, ଆଡ୍‌ମିଶନ୍‌ ପ୍ରକ୍ରିୟା ଆଦି ତ୍ବରାନ୍ବିତ ହୋଇପାରିବା ସହ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ମଧ୍ୟ ସହଜରେ ହୋଇପାରିବ। ବର୍ତ୍ତମାନ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ପ୍ରାୟ ୨୪୦ଟି ମହାବିଦ୍ୟାଳୟ ରହିଛି। ସୂଚନାଯୋଗ୍ୟ, ବଲାଙ୍ଗୀରର ରାଜେନ୍ଦ୍ର ମହାବିଦ୍ୟାଳୟ ୧୯୪୪ରେ ଓ ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ୧୯୬୦ରେ ପ୍ରତିଷ୍ଠା କରାଯାଇଥିଲା।

Share