Categories: ଜାତୀୟ

୨ ବିସ୍ଫୋରଣରେ ୧୪ ମୃତ

ବଡ଼ୋଦରା/ପାଲଘର,୧୨ା୧(ପି.ଟି.): ଗୁଜରାଟ ଓ ମହାରାଷ୍ଟ୍ରରେ ଶନିବାର ଦୁଇଟି ବିସ୍ଫୋରଣରେ ୧୪ ଜଣଙ୍କ ଜୀବନ ଯାଇଛି ଓ ଅନେକ ଆହତ ହୋଇଛନ୍ତି। ଗୁଜରାଟର ବଡ଼ୋଦରା ଜିଲାରେ ଥିବା ଏକ ଅକ୍ସିଜେନ୍‌ ଉତ୍ପାଦନ କାରଖାନାରେ ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ହେବା ସହ ୬ ଆହତ ହୋଇଛନ୍ତି। ପଡ୍ରା ତହସିଲ ଅନ୍ତର୍ଗତ ଗାଭାସାଦ ଗାଁ ନିକଟରେ ଥିବା ଏମ୍ସ ଇଣ୍ଡଷ୍ଟ୍ରିଜ୍‌ରେ ଶନିବାର ପୂର୍ବାହ୍ନ ୧୧ଟାରେ ବିସ୍ଫୋରଣ ହୋଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ଉକ୍ତ କାରଖାନାର ଶ୍ରମିକ। ଆହତମାନଙ୍କୁ ଅଟଲାଦରାସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫୋରେନ୍‌ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ବିସ୍ଫୋରଣର କାରଣ ସମ୍ପର୍କରେ ତଦନ୍ତ କରୁଛି। ସିଲିଣ୍ଡରରେ ଗ୍ୟାସ୍‌ ରିଫିଲିଂ ବେଳେ ବିସ୍ଫୋରଣ ହୋଇଥିବା କୁହାଯାଉଛି।
ସେହିପରି ମହାରାଷ୍ଟ୍ରର ତାରାପୁରରେ ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ହେବା ସହ ୪ ଆହତ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ପାଲଘର ଜିଲାର ତାରାପୁର କେମିକାଲ ଜୋନ୍‌ରେ ଏହି ବିସ୍ଫୋରଣ ଯୋଗୁ ନିର୍ମାଣାଧୀନ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ ହୋଇଛି। ନୂଆ ରିଆକ୍ଟର ପରୀକ୍ଷା ବେଳେ ବିସ୍ଫୋରଣ ହୋଇଥିଲା। ଆହତଙ୍କ ମଧ୍ୟରେ ଫ୍ୟାକ୍ଟ୍ରିର ମାଲିକ ନଟବରଭାଇ ପଟେଲ, ଜଣେ ଡାଇରେକ୍ଟର ଓ ଦୁଇଜଣ ଶିଶୁ ଅଛନ୍ତି।

Share