୨ ବ୍ରାଉନସୁଗାର ବ୍ୟବସାୟୀ ଗିରଫ

ଯାଜପୁର ଟାଉନ,୧୨।୯(ଡିଏନଏ): ଯାଜପୁର ସହରରେ ଅନେକ ଯୁବକ ବ୍ରାଉନସୁଗାର ସେବନ କରୁଛନ୍ତି। ଏହି ସହରର ବିଭିନ୍ନ ମଠ, ମନ୍ଦିର ଓ ନଦୀପଠା ଆଦି ନିଛାଟିଆ ସ୍ଥାନରୁ ଆରମ୍ଭ କରି ଜନଗହଳିପୂର୍ଣ୍ଣ ମାର୍କେଟ ଓ ବସଷ୍ଟାଣ୍ଡରେ ମଧ୍ୟ ଯୁବପିଢ଼ି ବ୍ରାଉନସୁଗାର ସେବନ କରୁଥିବା ଜଣାପଡିଛି। ଯାଜପୁର ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର ବହୁଳ ମାତ୍ରାରେ ବୃଦ୍ଧି ପାଇଥିବା ନେଇ ଗଣମାଧ୍ୟମଗୁଡିକରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପୋଲିସ ତପତ୍ର ହୋଇଉଠିଛି। ଏସ୍‌ପି ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପୋଲିସ ମଙ୍ଗଳବାର ସ୍ଥାନୀୟ କିଆନାଳୀକୂଳ ମାର୍କେଟ ନିକଟସ୍ଥ ଡକ୍‌ ଉପରୁ ୨ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ପୌରାଞ୍ଚଳର ରାଉତରାପୁର ଗ୍ରାମର ଶୁଭ୍ରାଂଶୁ ଶେଖର ରାଉତ(୨୮) ଏବଂ ବିଞ୍ଝାରପୁର ଥାନା ଭୋଲାମହଲା ଗ୍ରାମର ଅସରଫ ଅଲ୍ଲୀ ଖାଁ(୪୮)। ଏମାନଙ୍କଠାରୁ ୪୦ ହଜାରରୁ ଅଧିକ ଟଙ୍କା ମୂଲ୍ୟର ୪.୦୩ ଗ୍ରାମର ବ୍ରାଉନସୁଗାର ସହିତ ୨ଟି ମୋବାଇଲ ଫୋନ ଓ ନଗଦ ୧୨୦୦ ଟଙ୍କା ପୋଲିସ ଜବତ କରିଛି। ଅଭିଯୁକ୍ତ ଦ୍ୱୟ ନିଜକୁ ବ୍ୟବସାୟୀ ନୁହେଁ ବରଂ ନିଶା ସେବନକାରୀ ବୋଲି କହୁଥିବାବେଳେ ପୋଲିସ କିନ୍ତୁ ଉଭୟ ନିଶା କାରବାରରେ ସମ୍ପୃକ୍ତ ଥିବା ଦାବି କରିଛି। ଏ ନେଇ ପୋଲିସ ଖୋଳତାଡ କରୁଛି ବୋଲି ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ରବୀନ୍ଦ୍ର କୁମାର ଜେନା ସୂଚନା ଦେଇଛନ୍ତି। ଏହି ବେପାରୀଙ୍କ ବିରୋଧରେ ଏକ ମାମଲା (ନଂ.୨୫୯/୧୯) ରୁଜୁ କରାଯାଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

Share