୨ ମନ୍ଦିରରୁ ୩ ଲକ୍ଷ ଟଙ୍କାର ଗହଣା ଚୋରି: ଅନ୍ଧାରୀ ମଙ୍ଗଳା, ତାରିଣୀଙ୍କ ଅଳଙ୍କାର ନେଇଗଲେ

ବାଲେଶ୍ୱର ଅଫିସ,୩୦।୭-ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ଶୋଭାରାମପୁର ଓ ବାଲିଆ ଅଞ୍ଚଳର ୨ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ୩ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସହଦେବଖୁଣ୍ଟା ଥାନା ପୋଲିସ ସହ ଡିଏସ୍‌ପି ଉମେଶ ଚନ୍ଦ୍ର ପଣ୍ଡା ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଚୋରି ଗହଣା ସମ୍ପର୍କରେ କୌଣସି ଟେର ପାଇପାରିନାହାନ୍ତି।

ଶୋଭାରାମପୁରସ୍ଥିତ ଅନ୍ଧାରୀ ମଙ୍ଗଳା ମନ୍ଦିରରେ ଚୋରମାନେ ପଶି ମା’ଙ୍କ ମୁକୁଟ, ହାର, ଚିତା ସହ ଭକ୍ତଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ସୁନା ଓ ରୁପା ଅଳଙ୍କାରକୁ ଚୋରାଇ ନେଇଛନ୍ତି। ସେହିପରି ବାଲିଆସ୍ଥିତ ତାରିଣୀ ମନ୍ଦିରରେ ଚୋରମାନେ ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ନେଇଥିବାର ଅଭିଯୋଗ ହୋଇଛି। ଏନେଇ ପୋଲିସ ସହଦେବଖୁଣ୍ଟା ଥାନାରେ ମାମଲା (ନଂ.୨୧୦/୧୯ ଏବଂ ୨୧୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତରେ ସହାୟତା କରିଛନ୍ତି। ଏଥିସହିତ ଚୋରମାନେ ଶୋଭାରାମପୁରରେ ଥିବା ଅନ୍ୟ ଏକ ଶ୍ରୀକୃଷ୍ଣ ମନ୍ଦିରକୁ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଲୋକମାନେ ଉଠିପଡିବାରୁ ସେମାନେ ପଳାଇଥିବା ପୋଲିସ କହିଛି। ତେବେ ଖୁବ୍‌ଶୀଘ୍ର ଚୋରଙ୍କୁ ଗିରଫ କରାଯିବ ବୋଲି ଡିଏସ୍‌ପି ପଣ୍ଡା କହିଛନ୍ତି।