୨ ମାସରେ ୪ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ

ଭୁବନେଶ୍ୱର, ୧୯।୯(ବ୍ୟୁରୋ): ଗତ ୨ ମାସ ମଧ୍ୟରେ ରାଜ୍ୟରେ ୪ ନାବାଳିକା ବଳାତ୍କାର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। ପ୍ରଥମେ ମୟୂରଭଞ୍ଜ, ଅନୁଗୋଳ, ଜଗତ୍‌ସିଂହପୁର ଜିଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିବା ବେଳେ ଗୁରୁବାର କଟକ ଜିଲା ସାଲେପୁରର ଜନୈକ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି।
୨୦୧୮ ଏପ୍ରିଲ ୨୧ରେ ସାଲେପୁର ଅଞ୍ଚଳରେ ଜନୈକା ନାବାଳିକା ଭାଇ ସହ ଖେଳୁଥିବା ବେଳେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍‌ ତାଙ୍କୁ ଉଠାଇ ନେଇଥିଲେ। ଚକୋଲେଟ୍‌ ବାହାନାରେ ମହମ୍ମଦ ତାଙ୍କୁ ବଳାତ୍କାର କରିବା ପରେ ମୁଣ୍ଡକୁ ଇଟାରେ ଛେଚି ଦେଇଥିଲେ। ଗୁରୁତର ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ନାବାଳିକାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ୧୯ ଦିନ ପରେ ପୋଲିସ ଚାର୍ଜଶିଟ ଦାଖଲ କରିଥିଲା। ଗୁରୁବାର ତାଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଛି।
ପୋକ୍ସୋ ଆଇନ ଆଧାରରେ ପ୍ରଥମେ ଗତ ଜୁଲାଇ ୨୬ରେ ଅନୁଗୋଳ ଜିଲା କାଙ୍ଗୁଲାରେ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ଅନାମ ଦେହୁରୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା। ଜାନୁୟାରୀ ୨୦ରେ ୧୨ ବର୍ଷର ନାବାଳିକା ବାପାଙ୍କ ପାଇଁ ଖାଇବାକୁ ନେଇ ଯାଉଥିବା ବେଳେ ଅଭିଯୁକ୍ତ ଅନାମ ତାଙ୍କୁ ରାସ୍ତାରୁ ଉଠାଇ ନେଇ ବଳାତ୍କାର କରିବା ପରେ ପଥରରେ ଛେଚି ହତ୍ୟା କରିଥିଲେ ଏବଂ ତାଙ୍କୁ ନାଳରେ ଫିଙ୍ଗି ଦେଇଥିଲେ।
ଅଗଷ୍ଟ ୨୮ରେ ମୟୂରଭଞ୍ଜ ଜିଲାର ଯାମିନୀକାନ୍ତଙ୍କୁ ଦ୍ୱିତୀୟ ଫାଶୀ ଦଣ୍ଡାଦେଶ ହୋଇଥିଲା। ୨୦୧୮ ଜୁନ୍‌ ୧୪ରେ ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଞ୍ଚଳରେ ଅଭିଯୁକ୍ତ ଯାମିନୀକାନ୍ତ ୮ ବର୍ଷର ନାବାଳିକାଙ୍କୁ ସାଇକେଲ ଚଲାଇବା ଶିଖାଇବା ବାହାନାରେ ନିକଟସ୍ଥ ଜଙ୍ଗଲକୁ ଡାକିନେଇ ସେଠାରେ ବଳାତ୍କାର କରିଥିଲେ। ପରେ ନାବାଳିକାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ଜୁନ୍‌ ୧୫ରେ ଏ ନେଇ ମାମଲା ରୁଜୁ ହେବା ପରେ ପୋଲିସ ଯାମିନୀକାନ୍ତଙ୍କୁ ଗିରଫ କରିଥିଲା। ୨୭ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ପୋକ୍ସୋ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।
ଚଳିତ ମାସ ୧୦ ତାରିଖରେ ୩ୟ ଫାଶୀ ଦଣ୍ଡାଦେଶ ହୋଇଥିଲା। ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଏଡିଜେ କୋର୍ଟ ପୋକ୍ସୋ ଆଇନ ଆଧାରରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ୨୦୧୮ ମାର୍ଚ୍ଚ ୨୧ରେ ନାବାଳିକା ଦାଣ୍ଡରେ ଖେଳୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଉଠାଇ ନେଇ କାଜୁ ଜଙ୍ଗଲରେ ବଳାତ୍କାର କରିବା ପରେ ହତ୍ୟା କରିଥିଲେ। ଏହି ଘଟଣାରେ କୋର୍ଟ ଲବ ମାନା ଓରଫ କାଳିଆଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ।

Share