Categories: ଜାତୀୟ

୨ ମାସରେ ୬୦୦ ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ,୧୨ା୧୦: ପାକିସ୍ତାନୀ ସେନା ସୀମାରେ ୨ ମାସ ମଧ୍ୟରେ ୬୦୦ରୁ ଊର୍ଦ୍ଧ୍ୱ ଥର ଅସ୍ତ୍ରବିରତି ଉଲ୍ଲଂଘନ କଲାଣି। ସୀମା ସେପଟୁ ଗୁଳିବର୍ଷା ଓ ମୋର୍ଟାର ମାଡ଼ରୁ କ୍ଷାନ୍ତ ରହିବା ପାଇଁ ପାକିସ୍ତାନକୁ ଚେତାଇଦେଇଛି ଭାରତ। ପ୍ରତିପକ୍ଷ ସେନା ସୀମାନ୍ତବାସୀଙ୍କୁ ଟାର୍ଗେଟ କରିବା ବନ୍ଦ ନ କଲେ ପରିଣାମ ଭୋଗିବ ବୋଲି ହଟ୍‌ଲାଇନ୍‌ରେ ତାଗିଦ କରାଯାଇଛି। ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ବତ୍‌ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ସେନା କମାଣ୍ଡରମାନଙ୍କ ସମ୍ମିଳନୀ ହେବ। ଏହାସହ ରାଓ୍ବତ୍‌ ନିୟନ୍ତ୍ରଣରେଖା (ଏଲ୍‌ଓସି) ପରିଦର୍ଶନ କରି ସୀମା ସ୍ଥିତି ସମୀକ୍ଷା କରିବେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାନୁସାରେ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଏଲ୍‌ଓସିରେ ସର୍ବାଧିକ ଉତ୍ତେଜନା ଦେଖାଦେଇଛି। ଭାରତ-ପାକିସ୍ତାନ ମଧ୍ୟରେ ଥିବା ୭୭୮ କି.ମି. ବିସ୍ତୃତ ଏଲ୍‌ଓସିରେ ଚଳିତବର୍ଷ ଶତ୍ରୁପକ୍ଷ ୨,୩୨୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଲାଣି, ଯାହାକି ୨୦୦୩ ପରଠୁ ସର୍ବାଧିକ। ଚଳିତବର୍ଷ ୩୧ ଯବାନ ଶହୀଦ ହୋଇଥିବାବେଳେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଏଲ୍‌ଓସି ଏବଂ ଜମ୍ମୁ-କଶ୍ମୀରରେ ଅଦ୍ୟାବଧି ୧୪୭ ଆତଙ୍କବାଦୀ ନିହତ ହେଲେଣି।

Share