୨ ମାସ ହେବ ବିଦ୍ୟୁତ୍‌ ସେବା ଅଚଳ: ସମାଧାନ ନେଇ ଗ୍ରାମବାସୀଙ୍କ ଚେତାବନୀ

କୋରୁକୋଣ୍ଡା, ୨୪।୯ (ଡ଼ି.ଏନ୍‌.ଏ) : ମାଲକାନଗିରି ଜିଲା କୋରୁକୋଣ୍ଡା ପଞ୍ଚାୟତ ଡୁରୁକାଗୁଡା ଗ୍ରାମରେ ପ୍ରାୟ ଦୁଇ ମାସରୁ ଊଦ୍ଧର୍‌ବ ହେବ ବିଦ୍ୟୁତ୍‌ ସେବା ଅଚଳ ହୋଇପଡିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, କମ୍ପାନୀ ଆନ୍ଧ୍ରର ଏକ ଠିକାଦାରଙ୍କୁ ଏହି କାମ କରିବାକୁ ଦେଇଥିଲା। ମାତ୍ର ପୂର୍ବରୁ ଅନ୍ଧକାରରେ ରହୁଥିବା ଗ୍ରାମବାସୀଙ୍କୁ ଠିକାଦାର କାମରେ ନିୟୋଜିତ କରିଥିଲେ ଏବଂ ସେମାନଙ୍କୁ ତାଙ୍କର ପାରିଶ୍ରମିକ ମୂଲ୍ୟ ନ ଦେଇ ଠକି ଚାଲିଯାଇଥିଲେ। ଠିକାଦାର ନିମ୍ନ ମାନର ଟ୍ରାନ୍ସଫର୍ମର ବସାଇଥିବା ହେତୁ ଅଳ୍ପ ଦିନ ମଧ୍ୟରେ ତାହା ଅଚଳ ହୋଇପଡିଲା। ପରେ ବିଦ୍ୟୁତ ବିଭାଗ ଆସି ଟ୍ରାନ୍ସଫର୍ମର ମରାମତି କରିବ ବୋଲି କହି ତାହାକୁ ନେଇଯାଇଥିଲା। ମାତ୍ର ତାହା ଏଯାବତ୍‌ ମରାମତି ହୋଇ ଆସି ପାରିଲା ନାହିଁ। ଏ ନେଇ ଗ୍ରାମବାସୀ ଉକ୍ତ କମ୍ପାନୀକୁ ଯାଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ତେଣୁ ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ସେପ୍ଟେମ୍ବର ୭ରେ କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥି ସରାବୁଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏ ପର୍ଯ୍ୟନ୍ତ ଫଳ ମିଳି ନାହିଁ । ତେଣୁ ଏହାର ଯଦି ସ୍ଥାୟୀ ସମାଧାନ ନ ହୁଏ ତାହେଲେ, ଗ୍ରାମବାସୀ ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିବେ ବୋଲି ମଙ୍ଗଳବାର ଚେତାବନୀ ଦେଇଛନ୍ତି।