୨ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ

କୁଆମରା,୧୪।୧୨(ଡି.ଏନ୍‌.ଏ.) – ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ କୁଆମରା ଗ୍ରାମରେ ୨ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ହୋଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ୭ ବର୍ଷ ତଳେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବୋରିଂ ଖୋଳା ଯାଇଥିଲା। ଏହା ଉପରେ ଡାକ୍ତରଖାନା, ସ୍କୁଲ, ବଜାର ସମେତ ଗ୍ରାମର ପ୍ରାୟ ୨ହଜାରରୁ ଊଦ୍ଧର୍‌ବ ଲୋକ ନିର୍ଭରଶୀଳ ଥିଲେ। ଗ୍ରାମର ବିଭିନ୍ନ ଦିଗରେ ପାଇପ ବିଛାଇ ପାଣି ଯୋଗାଣ ହେଉଥିଲା। ଏଥି ନିମନ୍ତେ ବିଭିନ୍ନ ସ୍ଥାନରେ ୩୫ରୁ ଊଦ୍ଧର୍‌ବ ଟ୍ୟାପ ଲଗାଯାଇଥିଲା। ମାତ୍ର ବିଛା ଯାଇଥିବା ପାଇପ କ୍ରମେ ଦୁର୍ବଳ ହୋଇ ବିଭିନ୍ନ ସ୍ଥାନରେ ଫାଟି ଯାଇଥିଲା। ଫଳରେ ଗାଁ ଗଣ୍ଡାର ବିଭିନ୍ନ ସ୍ଥାନରେ ପାଇପରୁ ପାଣି ଲିକ୍‌ ହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଲଗାଯାଇଥିବା ଟ୍ୟାପଗୁଡିକ କେଉଁଠି ଅଚଳ ହୋଇଗଲା ତ କେଉଁଠି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଖସି ପଡ଼ିଲା। ଏନେଇ ଅଭିଯୋଗ କରାଯାଇଥିବା ସତ୍ତ୍ୱେ ମରାମତି ଦିଗରେ ଗୁରୁତ୍ୱ ଦିଆଗଲା ନାହିଁ। ପାଇପ ଫାଟିବା ଯୋଗୁଁ ଲୋକମାନଙ୍କୁ କିଛି ଦିନ ଗୋଳିଆ ପାଣି ମଧ୍ୟ ପିଇବାକୁ ପଡ଼ିିଥିଲା। ଏହାଛଡା କେତେକ ବ୍ୟକ୍ତି ପଞ୍ଚାୟତର ବିନା ଅନୁମତିରେ ନିଜ ନିଜ ଘରକୁ ପାଇପ କନେକସନ କରି ପାଣି ନେଉଥିଲେ ମଧ୍ୟ ତାହା ପ୍ରତି କଟକଣା ରହିଲା ନାହିଁ। ଏବେ ୨ ମାସ ହେଲା ଗାଁ କୁ ପାନୀୟ ଜଳ ଯୋଗାଣ ଠପ ହୋଇ ପଡିଛି। ଅନ୍ୟପକ୍ଷେ ଯତ୍ନ ଅଭାବରୁ ନଳକୂପ ଗୁଡ଼ିକ ଅଦରକାରୀ ହୋଇ ପଡିଛି। ତେବେ ଏନେଇ ପଞ୍ଚାୟତ ପକ୍ଷରୁ ୨/୩ ଥର ବୈଠକ ଡକାଯାଇଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରି ନାହିଁ। ଲୋକେ ଶୁଦ୍ଧ ପାନୀୟ ଜଳ ପାଉ ନ ଥିବାରୁ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି। ଏ ନେଇ ସରପଞ୍ଚ ସସ୍ମିତା ନାଏକଙ୍କୁ ପଚାରିବାରୁ ନୂଆ ପାଇପ ସହ ଟ୍ୟାପ ଗୁଡିକ ଲଗାଯିବା ପାଇଁ ବ୍ୟବସ୍ଥା ଚାଲିଛି। ଖୁବ ଶୀଘ୍ର କାର୍ଯ୍ୟ ସରିବ ଓ ଲୋକେ ପୂର୍ବ ଭଳି ପାଇପ ପାଣି ପାଇପାରିବେ ବୋଲି କହିଛନ୍ତି।