Categories: ମେଟ୍ରୋ

୨ ମିନିଟ୍‌ ୧୧ ସେକେଣ୍ଡ ହେବ ରାଜ୍ୟ ସଙ୍ଗୀତ

ଭୁବନେଶ୍ୱର,୮ା୬(ବ୍ୟୁରୋ)- ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ସ୍ବତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରିବେ ରାଜ୍ୟ ସରକାର। ରାଜ୍ୟ ସଙ୍ଗୀତକୁ ନେଇ ରହିଥିବା ନୀତି ନିୟମକୁ ଅନୁକରଣ କରାଯାଇ ଏହି ଗାଇଡ୍‌ଲାଇନ ପ୍ରସ୍ତୁତ କରାଯିବ। ଗୀତ ଗାନ ବେଳେ ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ଏହାଗୁ ଦୃଷ୍ଟିରେ ରଖି ଗୀତକୁ କମ୍‌ ଅବଧି ବିଶିଷ୍ଟ କରାଯିବ। ପୂର୍ବରୁ ୩ ମିନିଟ ଅବଧି ବିଶିଷ୍ଟ ହେବ ବୋଲି କୁହାଯାଇଥିବା ବେଳେ ଏବେ ତାହାକୁ କମାଯାଇ ୨ ମିନିଟ୍‌ ୧୧ ସେକେଣ୍ଡର କରାଯିବ। ଏହା ସରକାରୀ ଢାଞ୍ଚା ହେବ ଏବଂ ଏଥିରେ ଆଉ ପରିବର୍ତ୍ତନ କରାଯିବନାହିଁ। ସେହି ଢାଞ୍ଚାରେ ସମସ୍ତେ ଗାନ କରିବେ। ତେବେ ସମୟ କମିଲେ ମଧ୍ୟ ଗୀତର ସମସ୍ତ ୬ଟି ପଦକୁ ପୂର୍ବଭଳି ରଖାଯିବ। କୌଣସି ଧାଡ଼ିର ପୁନରାବୃତ୍ତି ହେବନାହିଁ। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ଶୈଳୀରେ ଏହାକୁ ଗାୟନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗାନ ବେଳେ ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ଅବଧିକୁ ହ୍ରାସ କରାଯିବ ବୋଲି ସେ କହିଛନ୍ତି।

Share