୨ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ କୋରାପୁଟ ସହକାରୀ ଜିଲାପାଳ

କୋରୁକୋଣ୍ଡା, ୯।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଗୁରୁବାର କୋରାପୁଟ ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଳିଆ ଗସ୍ତ କରିଥିଲେ। ଏହି ଅବସରରେ ଆର୍ଥିକ ଦୁର୍ବଳତା ଯୋଗୁ ଚିକିତ୍ସା ହୋଇପାରୁ ନ ଥିବା ୨ ରୋଗୀଙ୍କ ବିଷୟରେ ସହକାରୀ ଜିଲାପାଳ ଜାଣିବାକୁ ପାଇଥିଲେ। ସେମାନେ ହେଲେ ସୁଭଦ୍ରା ଖରା(୨୫) ଓ ଶଶୀ ଖରା(୧୮)।
ପ୍ରକାଶ ଯେ, ବାଲିମେଳା ୧ ନମ୍ବର ୱାର୍ଡର ସୁଭଦ୍ରାଙ୍କୁ ଭେଟିଥିଲେ। ଯିଏକି କୋରାପୁଟ ଥାନା ଅନ୍ତର୍ଗତ ପଇଦାପୁଟ ଗ୍ରାମର ଅର୍ଜୁନ ଖିଲଙ୍କୁ ବିବାହ କରିଥିଲେ। ବିବାହର ୩ମାସ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ପରେ ସୁଭଦ୍ରା ବାପଘରକୁ ଚାଲିଯାଇଥିଲେ। କିଛି ଦିନ ପରେ ସେ ମାନସିକ ବିକାରଗ୍ରସ୍ତ ହୋଇଯାଇଥିଲେ। ଏହା ଜାଣିବା ପରେ ସହକାରୀ ଜିଲାପାଳ ତାଙ୍କ ପରିବାର ସହ ଭେଟି ଖୁବ୍‌ଶୀଘ୍ର ବିଶାଖାପାଟଣା ବଡ ମେଡିକାଲକୁ ନେଇ ନିଜସ୍ବ ପାଣ୍ଠିରୁ ଚିକିତ୍ସା କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏହାପରେ ସେ ବାଲିମେଳା ନଗରର ୧୨ ନମ୍ବର ୱାର୍ଡ ଗସ୍ତ କରିଥିଲେ। ସେଠାରେ ସେ ମା’ବାପାଛେଉଣ୍ଡ ଶଶୀ ଖରା(୧୮) ନାମ୍ନୀ ଝିଅକୁ ଭେଟିଥିଲେ। ଦୀର୍ଘ ୬ବର୍ଷ ହେବ ଶଶୀଙ୍କ ଗାଲ ଫୁଲିବାରେ ଲାଗିଛି। ତେଣୁ ନିଜସ୍ବ ପାଣ୍ଠିରୁ ଖର୍ଚ୍ଚକରି ତୁରନ୍ତ ତାଙ୍କର ଚିକିତ୍ସା କୋରାପୁଟ ମେଡିକାଲରେ କରାଯିବ ବୋଲି ସହକାରୀ ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।