୨ ଲକ୍ଷ ଛୁଇଁବାକୁ ଯାଉଛି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨।୬: ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୧୭୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ୨୦୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଏହାସହ ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୯୮,୭୦୬ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୭,୫୧୮ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୯୫,୫୨୬ ଜଣ ସୁସ୍ଥ ହୋଇ ସାରିଲେଣି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୫୯୮ରେ ପହଞ୍ଚି ସାରିଲାଣି। ସୂଚନାଯୋଗ୍ୟ, ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ ବ୍ୟାପିଯାଇଥିବା ବେଳେ ଭାରତର ସ୍ଥିତି ବେଳକୁ ବେଳ ଉଦ୍‌ବେଗଜନକ ହେବାରେ ଲାଗିଛି। ଆମେରିକାରେ ସବୁଠାରୁ ଅଧିକ ସଂକ୍ରମିତ ଓ ମୃତକଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଏବେ ଭାରତ ସପ୍ତମ ସ୍ଥାନରେ ରହିଛି।

Share