୨ ଶିଶୁକନ୍ୟାଙ୍କୁ ଧରି ଲୁହ ଢାଳୁଛନ୍ତି ଯୁବତୀ

ଲୋଇସିଂହା, ୧୬।୪ (ଡି.ଏନ.ଏ.): ପ୍ରେମ ବିବାହ କରିବା ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଗର୍ଭବତୀ ସ୍ତ୍ରୀ, ୭ ବର୍ଷର ଶିଶୁକନ୍ୟାକୁ ଛାଡି ସଂପୃକ୍ତ ଯୁବକ ଗତ ଜାନୁୟାରୀରୁ ଫେରାର ହୋଇଯାଇଛନ୍ତି। ଏପରି ଘଡିସନ୍ଧି ସମୟରେ ଗତ ୬ ତାରିଖରେ ବଲାଙ୍ଗୀର ଜିଲା ଲୋଇସିଂହା ଡାକ୍ତରଖାନାରେ ଦ୍ୱିତୀୟ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ସେହି ଯୁବତୀ। ନିଃସହାୟ ଅବସ୍ଥାରେ ସେ ୨ଶିଶୁକନ୍ୟାଙ୍କୁ ଧରି ରହିଛନ୍ତି । ଲକ୍‌ଡାଉନ୍‌ ଯୋଗୁ ତାଙ୍କ ବାପ ଘର ଲୋକେ ବି ସହାୟତା ପାଇଁ ଆସିପାରୁ ନାହାନ୍ତି । ସ୍ବାମୀଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ସମ୍ଭବ ନ ହେବାରୁ ଗତ ୮ ତାରିଖରେ ସେ ତାଙ୍କ ବିରୋଧରେ ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲା ଖଣ୍ଡୁ ଗାଁର ଜଣେ ଯୁବତୀଙ୍କ ସହ ସେହି ଗଁାର ବିକ୍ରମ ପଧାନଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ସଂପୃକ୍ତ ଯୁବତୀ ଗର୍ଭବତୀ ହୋଇଥିଲେ। ଏହାପରେ ଉଭୟେ ୨୦୧୩ରେ ଗଁା ଛାଡି ନୟାଗଡ ପଳାଇ ଆସିଥିଲେ। ସେଠାରେ ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ପ୍ରାୟ ଦେଢ଼ବର୍ଷ ତଳେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ କାମ କରୁଥିବା ବିକ୍ରମ ବଲାଙ୍ଗୀର ଜିଲାକୁ ବଦଳି ହୋଇ ଆସିବା ପରେ ଲୋଇସିଂହା ନୂଆପଡାରେ ଘର ଭଡା ନେଇ ରହୁଥିଲେ । ଇତିମଧ୍ୟରେ ସଂପୃକ୍ତ ଯୁବତୀ ଦ୍ୱିତୀୟ ଥର ଗର୍ଭବତୀ ହୋଇଥିଲେ । ଏହାପରେ ବିକ୍ରମ ତାଙ୍କୁ ବିଭିନ୍ନ ଅବହେଳା କରି ଚାଲିଥିଲେ । ଶେଷରେ ଗତ ଜାନୁୟାରୀ ୫ ତାରିଖରେ କର୍ମକ୍ଷେତ୍ର ଯୋଗୀସର୍ଡାକୁ ଯାଉଛି କହି ଘର ଛାଡିଥିଲେ । ହେଲେ ସେଠାରୁ ଆଉ ଘରକୁ ଫେରି ନ ଥିଲେ। ଡାକ୍ତରଖାନାରେ ସଂପୃକ୍ତା ଯୁବତୀଙ୍କୁ ନର୍ସମାନେ ଦେଖାରେଖା କରିଥିଲେ। ସ୍ଥାନୀୟ ପଞ୍ଚାୟତରୁ ଦୁଇବେଳା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିଲା। ଡାକ୍ତରଖାନାରୁ ଡିସଚାର୍ଜ ପରେ ଏବେ ସେ ନିଜ ଭଡା ଘରେ ରହୁଛନ୍ତି। ନବଜାତ ଶିଶୁକନ୍ୟା ଓ ବଡଝିଅକୁ ନେଇ ସେ କିପରି ଦିନ କାଟିବେ ବୋଲି ଚିନ୍ତାରେ ପଡିଛନ୍ତି ା ତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୪୫/୨୦) ରୁଜୁ କରିଛି ।

Share