୨ ସପ୍ତାହରେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଚରମ ସୀମା ଛୁଇଁବ: ଟ୍ରମ୍ପ୍‌

ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବହୁ ଦେଶର ସରକାର ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌ ଜାରି କରିଛନ୍ତି। ତେବେ କମ୍ୟୁନିଟି ସଂକ୍ରମଣ ଯୋଗୁ ବହୁ ଦେଶରେ କରୋନା ସଂକ୍ରମଣ ରୋକିବା ଅସମ୍ଭବ ହୋଇପଡ଼ିଛି। ଇତିମଧ୍ୟରେ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୪୨ ହଜାରରୁ ଅଧିକରେ ପହଞ୍ଚିଛି। ଏଠାରେ ମୃତ୍ୟୁ ସଂଖ୍ୟା ୨୪୦୦ ଟପିଛି। ଆସନ୍ତା ଏପ୍ରିଲ୍‌ ୧୨ରେ ଇଷ୍ଟର ଯୋଗୁ ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଲୋକେ ଲକ୍‌ଡାଉନ୍‌କୁ ଅମାନ୍ୟ କରୁଥିବାରୁ ସଂକ୍ରମଣ ରୋକିବା ସମ୍ଭବ ହୋଇପାରୁ ନାହିଁ। ଆସନ୍ତା ୨ ସପ୍ତାହ ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଚରମ ସୀମାରେ ପହଞ୍ଚିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ସେହିପରି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, କିଛି ଦିନ ମଧ୍ୟରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଟପିବାର ଆଶଙ୍କା ରହିଛି। ଦେଶର ଗ୍ରାମୀଣ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

Share