Categories: ବାଣିଜ୍ୟ

୨ ହଜାର କର୍ମଚାରୀଙ୍କୁ ଛଟେଇ କଲା ଇଣ୍ଡିଆବୁଲ୍‌ସ

ମୁମ୍ବାଇ,୨୩।୫: ବର୍ତ୍ତମାନ କରୋନା ପ୍ରଭାବରୁ କମ୍ପାନୀଗୁଡ଼ିକ ବୃହତ୍‌ ପରିମାଣର କ୍ଷତି ସହୁଥିବା ବେଳେ କର୍ମଚାରୀଙ୍କୁ ଛଟେଇ କରୁଥିବା ନଜରକୁ ଆସିଛି। ଏଭଳି ଅସୁବିଧା ଯୋଗୁ ଇଣ୍ଡିଆ ବୁଲ୍‌ସ ଏହାର ମୋଟ୍‌ ୨୦ ହଜାର କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୨ ହଜାରଙ୍କୁ ଛଟେଇ କରିଥିବା ଜଣାପଡିଛି। ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଲାଗି କମ୍ପାନୀ ଏଭଳି ପନ୍ଥା ଆପଣାଇଥିବା ସୂଚନା ରହିଛି। ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ପରଫରମାନ୍ସ ରିଭ୍ୟୁ ଭିତ୍ତିରେ କମ୍ପାନୀ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ କହିଥିବା ଜଣାପଡ଼ିଛି। ପରଫରମାନ୍ସ ଭିତ୍ତିରେ ୧୦ରୁ ୧୫% କର୍ମଚାରୀଙ୍କୁ ଛଟେଇ କରାଯାଇଥାଏ ବୋଲି କମ୍ପାନୀ ମତ ରଖିଛି। କମ୍ପାନୀର ଏଭଳି କାର୍ଯ୍ୟ ବିରୋଧରେ କର୍ମଚାରୀ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ହ୍ବାଟ୍ସଆପ୍‌ କଲ୍‌ ଦ୍ୱାରା ସେମାନଙ୍କୁ ଚାକିରି ଛାଡ଼ିବାକୁ କୁହାଯାଇଥିବା କର୍ମଚାରୀ ଅଭିଯୋଗ କରିଛନ୍ତି। ଟୁଇଟରରେ କେତେକେ ଅସନ୍ତୋଷ ପ୍ରକାଶକରି କହିଛନ୍ତି ଯେ, ମେ ୩୧ରେ ଚାକିରି ଛାଡ଼ିବାକୁ କୁହାଯାଇଛି। କେବଳ ମେ’ମାସ ଲାଗି ବେତନ ବାଦ୍‌ ଅନ୍ୟ କୌଣସି ସୁବିଧା ସୁଯୋଗ କମ୍ପାନୀ ଦେବ ନାହିଁ ବୋଲି ଜଣାପଡ଼ିଛି।

Share