୨.୮୦ କୋଟିର ବ୍ରାଉନ୍‌ସୁଗାର ଜବତ: ୨ ଗିରଫ

ସଜନାଗଡ଼/ଜଳେଶ୍ୱର,୧୯।୩(ଡି.ଏନ.ଏ./ସ୍ବ.ପ୍ର.)-ବାରମ୍ବାର ଧରପଗଡ ସତ୍ତ୍ୱେ ବାଲେଶ୍ୱର ଜିଲାରେ ବ୍ରାଉନ ସୁଗାର ଚୋରା କାରବାର ଥମିବାର ନାଁ ଧରୁ ନାହିଁ । ଭୁବନେଶ୍ୱରରୁ ଆସିଥିବା ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍‌) ବୁଧବାର ପ୍ରତ୍ୟୁଷରେ ନୀଳଗିରି ଥାନା ମିତ୍ରପୁର ଅଞ୍ଚଳରେ ଚଢାଉ କରି ଅଢେଇ କେଜିରୁ ଊର୍ଦ୍ଧ୍ୱ ବ୍ରାଉନ୍‌ସୁଗାର ଜବତ କରିଛି। ଏହାର ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ହେବ। ଏହି ଘଟଣାରେ ମିତ୍ରପୁର ଅଞ୍ଚଳର ପ୍ରଦୀପ ଦାସ ଏବଂ କଲ୍ୟାଣୀ ଗ୍ରାମର ଲକି ବେହେରାଙ୍କୁ ଗିରଫ କରାଯାଇଛି। ମୁଖ୍ୟ ବେପାରୀ ଖସି ଯାଇଥିବା ଜଣାପଡିଛି। ସେହିପରି ସନ୍ଧ୍ୟାରେ ଏସ୍‌ଟିଏଫ୍‌ ଓ ଜଳେଶ୍ୱର ପୋଲିସ୍‌ ମିଳିତ ଭାବେ ଚଢ଼ାଉ କରି ଥାନା ଅଧୀନ ଝାଡ଼େଶ୍ୱରପୁର (ରାଜପୁର) ବସ୍ତିରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ୩୦୦ ଗ୍ରାମ ବ୍ରାଉନ୍‌ ସୁଗାର ସହିତ ଏକ ନମ୍ବର ବିହୀନ ବୁଲେଟ ଜବତ କରିଛନ୍ତି। ଅଭିଯୁକ୍ତ ବେପାରୀ ଚମ୍ପଟ ମାରିଛନ୍ତି। ଏହି ଦୁଇ ସ୍ଥାନରୁ ପ୍ରାୟ ୨ କୋଟି ୮୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଧରାପଡିଛି। ପୂର୍ବରୁ ଏ ଅଞ୍ଚଳରୁ ଏତେ ପରିମାଣର ବ୍ରାଉନ ସୁଗାର କେବେ ଧରାପଡି ନ ଥିଲା।
ନୀଳଗିରି ଏସ୍‌ଡ଼ିପିଓ ଅମୂଲ୍ୟ କୁମାର ଧର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବ୍ରାଉନସୁଗାର କାରବାର ମିତ୍ରପୁର ଅଞ୍ଚଳରେ ବୃଦ୍ଧି ପାଉଥିବା ସୂଚନା ପାଇ ବେପାରୀଙ୍କୁ ଧରିବା ଲାଗି ଜାଲ ବିଛାଯାଇଥିଲା। ମଙ୍ଗଳବାର ରାତିରେ କେତେକ ବ୍ରାଉନ୍‌ସୁଗାର ବେପାରୀ କୌଣସି ଏକ ସ୍ଥାନରେ ଭୋଜି କରି ଫେରୁଥିବା ବେଳେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେମାନେ ଛତ୍ରଭଙ୍ଗ ଦେବା ବେଳେ ୨ ଜଣ ଧରାପଡ଼ିଥିଲେ। ସେମାନଙ୍କଠାରୁ ଅଢ଼େଇ କେଜି ବ୍ରାଉନ୍‌ସୁଗାର ମିଳିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ନିଆଯାଇ ଏସ୍‌ଟିଏଫ୍‌ ପଚରାଉଚୁରା କରୁଥିବା ଜଣାପଡିଛି। ଜଳେଶ୍ୱରର ଆମ ସ୍ବତନ୍ତ୍ର ପ୍ରତିନିଧି ଜଣାଇଛନ୍ତି ଯେ, ଝାଡ଼େଶ୍ୱରପୁର (ରାଜପୁର) ଗାଁର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ରାଉନ୍‌ସୁଗର ରଖାଯାଇଥିବା ଖବର ପାଇ ଏସ୍‌ଟିଏଫ୍‌ର ଡିଏସ୍‌ପି ମନୋଜ କୁମାର ରାଉତ ସଦଳବଳ ଆସି ଜଳେଶ୍ୱର ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର, ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କ ସହ ପୋଲିସ୍‌ ଫୋର୍ସ ନେଇ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ କେହି ଧରାପଡି ନ ଥିଲେ ମଧ୍ୟ ୩୦୦ ଗ୍ରାମ ବ୍ରାଉନ୍‌ ସୁଗାର ଓ ଏକ ନମ୍ବର ବିହୀନ ବୁଲେଟ ଜବତ କରାଯାଇଛି।